ଗଞ୍ଜାମ ଜିଲା ରାଜସ୍ୱ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ ଚିହ୍ନଟ କରିବାକୁ ତହସିଲାଦରମାନଙ୍କୁ କୁହାଯାଇଛି । ପୁଣି ଏକ ଫ୍ରେସ ସର୍ଭେ କରାଯିବ । ଏହି ସର୍ଭେ କାର୍ଯ୍ୟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପରେ ସମସ୍ତ ତହସିଲ ଅଞ୍ଚଳରେ ଭୂମିହୀନ ପରିବାର ଚିହ୍ନଟ ପରେ ସେମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ପଟ୍ଟା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଜିଲାରେ ୯ ତହସିଲ ଅଧିନରେ ୨୩ଟି ଗ୍ରାମରେ ହାଇଟେକ ସର୍ଭେ ଚାଲିଛ, ତାହା ତୁରନ୍ତ ସାରିବାକୁ ତହସିଲଦାରମାନଙ୍କୁ ଜିଲାପାଳ କହିଥିଲେ । ଯେଉଁମାନେ ସରକାରୀ ଜମି ଜବଲଦଖଲ କରି ରଖିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ୨୧୭୯ ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କ ସ୍ଥିତିବାନ ପଟ୍ଟା ତୁରନ୍ତ ସେଟେଲମେଣ୍ଟ କରିବାକୁ ତହାସିଲଦାରମାନଙ୍କୁ କୁହାଯାଇଛି । ୩୩ ହଜାର ୧୫ ଗ୍ରାମକଣ୍ଠକ ପଟ୍ଟା ଫଇସଲା କରି ତାହା ବନ୍ଦୋବସ୍ତ କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ଅତିରିକ୍ତ ଜିଲାପାଳ ରାଜସ୍ୱ ଦେବବ୍ରତ ସାହୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗ୍ରାମକଣ୍ଠକ ଜମିର ବନ୍ଦୋବସ୍ତ ଆବେଦନ ଦରଖାସ୍ତ ସମୟ ସୀମା ବୃଦ୍ଧି ପାଇଁ ମାର୍ଚ୍ଚ ୩୧ ପ୍ରର୍ଯ୍ୟନ୍ତ ହୋଇଛି । ବେବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା । ଯେତେସବୁ ମିଶକେଶ ସାର୍ଟିଫିକେଟ ଆସୁଛି ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି । ଜିଲାରେ ୫୬ଟି ନୂଆ ରାଜସ୍ୱ ଗ୍ରାମ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୪ଟି ଭୂଲେଖ ଅପଲୋଡ ହୋଇଛି, ବଳକା ୪୨ଟି ଭୂଲେଖ ଅପଲୋଡ କରିବାକୁ କୁହାଯାଇଛି । ଜିଲାରେ ଯେଉଁସବୁ ପ୍ରକଳ୍ପ କାମ ଜମି ଅଧିଗ୍ରହଣ ପାଇଁ ଅଟକି ରହିଛି ତୁରନ୍ତ ଜମିଅଧିଗ୍ରହଣ କାମ ସାରିବାକୁ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ କୁହାଯାଇଛି । ୧୯୬୬ଟି ପ୍ରାଥମିକ ବିଦ୍ୟାଳୟ ଓ ୪୭ଟି କଲେଜକୁ ନିଜସ୍ୱ ପଟ୍ଟା ପ୍ରଦାନ କରାଯିବ । ସେହିପରି ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓଙ୍କ ପକ୍ଷରୁ ଅଧିକରୁ ଅଧିକ ଚଢାଉ କରିବାକୁ କୁହାଯାଇଥିଲା । ବିଶେଷକରି ସ୍କୁଲ, କଲେଜ ଓ ଗ୍ରାମାଞ୍ଚଳମାନଙ୍କରେ ନାବଳକମାନେ ଗାଡି ଚଲାଉଥିବାରୁ ତାହାକୁ ଧରିବା ପାଇଁ ଆରଟିଓଙ୍କୁ କୁହାଯାଇଛି । ମାପ ଓ ଓଜନ ବିଭାଗ ବିଭିନ୍ନ ପେଟ୍ରୋଲ ପମ୍ପ, ଚାଉଳ କଳ ଆଦିରେ ବ୍ୟାପକ ଚଢାଉ କିରବାକୁ କୁହାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ, ଭଞ୍ଜନଗର ଉପଜିଲାପାଳ ଅନିଲ ସେଠୀଙ୍କ ସମେତ ସମସ୍ତ ତହସିଲଦାରଙ୍କ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।