ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତତାକୁ ସୁରକ୍ଷିତ ରଖିବା ଏବଂ ଆମ ରାଜ୍ୟ ଯେପରି ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବ ତାହା ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ସେ କରିଛନ୍ତି ଯେ, ତତ୍କାଳୀନ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲା । ଏହି ଆଇନରେ ପରିବର୍ତ୍ତନ କେବଳ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ୟୁଜିସି ଆଇନର ବ୍ୟବସ୍ଥା ଏବଂ ନିୟମରେ ଦ୍ୱନ୍ଦ ସୃଷ୍ଟି କରୁନଥିଲା ବରଂ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାର୍ଥ, ସେମାନଙ୍କ ସ୍ୱାୟତ୍ତତାକୁ ମଧ୍ୟ କ୍ଷୁର୍ଣ୍ଣ କରୁଥିଲା । ବିଶେଷ କରି ଗମ୍ଭୀରଦାନ କେ ଗଡ଼ଭି ବନାମ ଗୁଜରାଟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଏହି ଅସଙ୍ଗତି ଗଭୀର ଚିନ୍ତାର ବିଷୟ । ଯେଉଁଥିରେ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଉପରେ ୟୁଜିସିର ସର୍ବୋଚ୍ଚ ନିୟମାବଳୀକୁ ସ୍ପଷ୍ଟ ଭାବେ ବଜାୟ ରଖାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବ ସରକାରଙ୍କ ଏହି ପଦକ୍ଷେପ ଗୁଡ଼ିକ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତାତାକୁ ସଙ୍କୁଚିତ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା ଏବଂ ଓଡ଼ିଶାରେ ଶିକ୍ଷାବିତଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କେନ୍ଦ୍ରମନ୍ତ୍ରୀ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସ୍ୱାଧୀନ ଓ ଉଚ୍ଚମାନର ଶିକ୍ଷାବିତଙ୍କୁ ତିଆରି କରିବାର ପରମ୍ପରା ରହିଛି । ଯେଉଁମାନେ ରାଷ୍ଟ୍ର ନିର୍ମାଣ ସହ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୀବନ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବଡ ଦାୟିତ୍ୱ ଭୂମିକା ଗ୍ରହଣ କରିଛନ୍ତି । ସେମାନେ ସ୍ୱାଧୀନତା, ବିଶ୍ୱସନୀୟତା ଏବଂ ପ୍ରଶାସନିକ ଦକ୍ଷତା ଦ୍ୱାରା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିଲେ । ଡ. ପ୍ରାଣକୃଷ୍ଣ ପରିଜା, ପ୍ରଫେସର ଶ୍ରୀରାମ ଦାଶ, ପ୍ରଫେସର ଚିନ୍ତାମଣି ଆଚାର୍ଯ୍ୟ, ଡ. ସଦାଶିବ ମିଶ୍ର ଏବଂ ଡା. ମହେନ୍ଦ୍ର କୁମାର ରାଉତଙ୍କ ପରି ବ୍ୟକ୍ତି ବିଶେଷମାନେ ସ୍ୱାଭିମାନୀ ଏବଂ ସ୍ୱାଧୀନ ଶିକ୍ଷାବିତ୍ ଭାବେ ଦୃଢ଼ ଭାବେ ନିଜକୁ ଉପସ୍ଥାପିତ କରିଛନ୍ତି । ତେଣୁ ରାଜ୍ୟର ଶିକ୍ଷାବିତ୍ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବା ପାଇଁ ପୂର୍ବ ସରକାର କରିଥିବା ପ୍ରୟାସକୁ ତୁରନ୍ତ ବା ଅବିଳମ୍ବେ ପୁନର୍ବିଚାର କରାଯିବା ଜରୁରୀ । ୟୁଜିସିର ନିୟମାବଳୀ ବ୍ୟାପକ ବିଚାରବିମର୍ଶ ଆଲୋଚନା ପରେ ପ୍ରସ୍ତୁତ କରାଯାଏ ଏବଂ ଶିକ୍ଷାନୁଷ୍ଠାନର ସ୍ୱାୟତତାକୁ ସମ୍ମାନ ଦେଇ ଶୈକ୍ଷିକ ମାନରେ ସମାନତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥାଏ । ଯଦି କୌଣସି ଆଇନଗତ ଢାଞ୍ଚା ଯାହା ଏହି ନିୟମାବ଼ଳୀକୁ ଅଣଦେଖା କରେ, ତାହା ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ପରିର୍ତ୍ତନ ଆଣିବା ସହ ଶିକ୍ଷାର ଗୁଣାତ୍ମକ ମାନ ଏବଂ ଶିକ୍ଷାବିତଙ୍କ ସମ୍ମାନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବିଶ୍ୱବିଦ୍ୟାଳୟରେ କୁଳପତି ଚୟନ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପଦ୍ଧତି ସମ୍ପର୍କରେ ଉପରୋକ୍ତ ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନରେ ଯେଉଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି, ତାହା କେବଳ ୟୁଜିସିର ଏହି ନିୟମାବଳୀ ସହ ଅସଙ୍ଗତ ନୁହେଁ ବରଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ନ୍ୟାୟିକ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରୁଛି । ଏହାବ୍ୟତୀତ ସଂଶୋଧିତ ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା ସିଣ୍ଡିକେଟ୍ ଗଠନରେ କୁଳାଧିପତି ଓ ସରକାରୀ ଅଧିକାରୀଙ୍କ ବହୁ ସଂଖ୍ୟକ ମନୋନୀତ ସଦସ୍ୟଙ୍କୁ ସାମିଲ କରାଯିବା ଶିକ୍ଷାବିତ୍ ମହଲରେ ଉଦବେଗ ସୃଷ୍ଟି କରିଛି । ଏହି ସଂଶୋଧନ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ସୃଷ୍ଟି କରିପାରେ, ଯାହାକି ଶିକ୍ଷକଙ୍କ ସ୍ୱାଧୀନତାକୁ ଅଣଦେଖା କରିବ । ସେହିପରି ଏହି ଆଇନ ସ୍ୱାଧୀନ ଭାବରେ କାର୍ଯ୍ୟ କରିବା ଏବଂ ଶୈକ୍ଷିକ ଅଖଣ୍ଡତା ବଜାୟ ରଖିବାର କ୍ଷମତାକୁ କ୍ଷୁର୍ଣ୍ଣ କରିପାରେ ବୋଲି ଶିକ୍ଷାବିତ ସମ୍ପ୍ରଦାୟ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ସ୍ୱାୟତ୍ତତାର ଏହି ଅବକ୍ଷୟ ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଶିକ୍ଷାର ଗୁଣବତ୍ତାର ମାନ ଉପରେ ମଧ୍ୟ ପ୍ରଭାବ ପଡିବ । ୟୁଜିସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିୟମ ଆଧାରରେ ଶିକ୍ଷାନୁଷ୍ଠାନର ସନ୍ତୁଳନ ବଜାୟ ରଖି ୟୁଜିସିର ନିୟମାବଳୀରେ କାର୍ଯ୍ୟ କରିବା ଆବଶ୍ୟକ । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ରାଜ୍ୟ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।