ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର ଆଣ୍ଡ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଯେ, ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଭୁବନେଶ୍ବରଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ୯ଟି ଟିମ୍ ଗତକାଲି ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଅବାସିକ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରି ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲେ । ଚଢ଼ଉ ବେଳେ ଭୁବନେଶ୍ବର ଓ ଝାରସୁଗୁଡ଼ାରୁ ଶ୍ରୀ ମିଶ୍ରଙ୍କ ୧୦ଟି ବିଳାସପୂର୍ଣ୍ଣ ଫ୍ଲାଟ ଠାବ କରାଯଇଛି । କେବଳ ଭୁବନେଶ୍ବରର ନୀଳାଦ୍ରିବିହାର, ଆଇଗିଣିଆ, ଭରତପୁର, ହଂସପାଳ ଅଞ୍ଚଳରେ ଥିବା ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ବାବୁଙ୍କର ୭ଟି ଦାମୀ ଫ୍ଲାଟ ରହିଛି । ବାକି ଝାରସୁଗୁଡ଼ାରେ ୩ଟି ଫ୍ଲାଟ ରହିଛି । ୧୦ଟି ଫ୍ଲାଟର ମୂଲ୍ୟ ୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ । ସେହିପରି ଭୁବନେଶ୍ୱର, କଟକ, ଜଟଣୀର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟ ରହିଛି । ଯାହାର ମୂଲ୍ୟ ୨.୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଘରୁ ନଗଦ ୬ ଲକ୍ଷ ଟଙ୍କା, ୩୭୦ ଗ୍ରାମ ହୀରା, ୨.୫୫୫ କେଜି ସୁନା ଗହଣା, ୧୩ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଡ଼ି, ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜବତ କରାଯାଇଛି । ଗୋଟିଏ ମର୍ସିଡିଜ୍, ଗୋଟିଏ କିଆ କାର୍ ଠାବ କରାଯାଇଛି । ବୀମା ଓ ବଣ୍ଡ୍ ଜମା ମଧ୍ୟ ଥିବା ଜଣାପଡ଼ିଛି । ଏକାଧିକ ବ୍ୟାଙ୍କର ଲକର ଠାବ କରାଯିବା ସହ କିଛି ବ୍ୟାଙ୍କର ଜମା ହିସାବ କରାଯାଇଛି । ଏପର୍ଯ୍ୟନ୍ତ ହୋଇଥିବା ହିସାବରୁ ବ୍ୟାଙ୍କରେ ୨.୭କୋଟି ଟଙ୍କା ଜମାଥିବା ଟିମ୍ ଜାଣିବାକୁ ପାଇଛି । ଖାଲି ଏତିକି ନୁହେଁ, ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରୁ ଆମେରିକା, ଥାଇଲାଣ୍ଡ, ଭିଏତ୍ନାମ, ୟୁଏଇ, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ମୁଦ୍ରା ଜବତ କରାଯାଇଛି । ଏହାଛଡ଼ା ଝିଅର ଡାକ୍ତରୀ ପଢ଼ା ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ଆହୁରି ଅଧିକ ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ଭିଜିଲାନ୍ସ ଟିମ୍ ଅଧିକ ଖୋଳତାଡ଼ କରୁଛି । ୧୨ଜଣ ଡିଏସ୍ପିଙ୍କ ସମେତ ୧୨ଜଣ ଆଇଆଇସି, ୧୬ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ଚଢ଼ଉରେ ଅଂଶ ଗ୍ରହଣ କରିଛନ୍ତି ।