ଖୋର୍ଦ୍ଧା ରୋଡ଼, ୨୬/୧୦ (ରାଜେନ୍ଦ୍ର ପ୍ରସାଦ ନାୟକ): ସତର୍କତା ସଚେତନତା ସପ୍ତାହ-୨୦୨୬ ଅବସରରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କୁ ସତର୍କତା ଶପଥ ପାଠ କରାଇଥିଲେ। ଏହି ଅବସରରେ ରେଳ କର୍ମଚାରୀମାନେ ସଚ୍ଚୋଟତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ବିଷୟବସ୍ତୁକୁ ଆଧାର କରି ଏହି ସପ୍ତାହ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଓ ଅଂଶୀଦାରମାନଙ୍କ ମଧ୍ୟରେ ନୈତିକ ଆଚରଣ, ସତ୍ୟନିଷ୍ଠା ଓ ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରି ଜନସେବାରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ମିଶ୍ରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା, ଅଭିଯୋଗ ସମାଧାନ ଶିବିର, ଆଲୋଚନାଚକ୍ର, ନୁକ୍କଡ଼ ନାଟକ ଏବଂ ସ୍କାଉଟ୍ସ ଓ ଗାଇଡ୍ସଙ୍କ ଅଂଶଗ୍ରହଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିସହ ବ୍ୟାନର, ପୋଷ୍ଟର ମାଧ୍ୟମରେ କର୍ମଚାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ପ୍ରସାର କରାଯାଉଛି।
ଏହି ଶପଥ ଗ୍ରହଣ ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବଙ୍କ ସମେତ ବିଭିନ୍ନ ଶାଖାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ସୁନୀଲ କହିଥିଲେ, ସତର୍କତା କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ କର୍ମଚାରୀଙ୍କ ସାମୂହିକ ଦାୟିତ୍ୱ। ସରକାରୀ କାର୍ଯ୍ୟରେ ସଚ୍ଚୋଟତା ବଜାୟ ରଖିବା, ଦପ୍ତରୀୟ କାରବାରରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଓ ଦୁର୍ନୀତିମୁକ୍ତ କାର୍ଯ୍ୟ ସଂସ୍କୃତି ଗଠନର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା।
Share
Read more