ଇଣ୍ଡୋନେସିଆରେ କୋଠାରେ ଅଗ୍ନିକାଣ୍ଡ, ୨୦ ମୃତ

Share

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଏକ ୭ ମହଲା ବିଶିଷ୍ଟ କୋଠାରେ କାର୍ଯ୍ୟାଳୟ ଚାଲିଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ନିଆଁ ଯୋଗୁ ପ୍ରବଳ ଧୂଆଁ ସୃଷ୍ଟି ହେବା ଫଳରେ ଶ୍ଵାସରୁଦ୍ଧ ହୋଇ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁ ଆଖପାଖରେ ଥିବା ବାସିନ୍ଦାମାନେ ଭୟଭୀତ ହୋଇପଡ଼ିବା ସହିତ ବାହାରକୁ ଚାଲି ଆସିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଏହା ସହିତ କୋଠାରେ ଫଶିଯାଇଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଏବଂ ୧୫ ଜଣ ମହିଳା ରହିଥିବା ସୂଚନା ମିଳିଛି। ମୃତ ମହିଳାଙ୍କ ମଧ୍ୟରେ ଜଣେ ଗର୍ଭବତୀ ମଧ୍ୟ ରହିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯେଉଁଥିରେ ଅଞ୍ଚଳଟି ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି।

Read more

Local News