ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ । ଭିଜିଲାନ୍ସ ଟିମ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ବିଭିନ୍ନ ଘରେ ରେଡ୍ କରାଯାଇଛି । ସୂଚନା ଯେ, ତହସିଲଦାରଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ୱର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ବେଳେ ଏଥିରେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି । ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ । ଗତକାଲି ସ୍ଥାନୀୟ ଅଞ୍ଚଳର ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ କାରନାମା ପଦାରେ ପଡ଼ିଥିଲା । ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଗାଡ଼ି ମାଲିକ ଚନ୍ଦନ ଜେନାଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପ୍ରସନ୍ନ ସାହୁଙ୍କୁ ଧରିଥିଲା ନୟାଗଡ ଭିଜିଲାନ୍ସ ଟିମ୍ । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବା ପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଓ ଭୁବନେଶ୍ୱର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡିଛି ।