ଆଜି ପବିତ୍ର ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ସହ ହନୁମାନଙ୍କ ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ । ହନୁମାନ ଜୟନ୍ତୀରେ ପ୍ରତ୍ୟେକ ହନୁମାନ ମନ୍ଦିର ମାନଙ୍କରେ ହନୁମାନ ଚାଳିଶା ପାଠ କରାଯାଇ ବିଭିନ୍ନ ପ୍ରକାରର ପ୍ରସାଦ ବଣ୍ଟନ କରାଯାଇଥାଏ ଏବଂ ପ୍ରତ୍ୟେକ ଘରେ ହନୁମାନ ଚାଳିଶା ମଧ୍ୟ ପାଠ କରାଯାଇଥାଏ । ପଣା ସଂକ୍ରାନ୍ତିଠାରୁ ବସନ୍ତ ଋତୁର ଶେଷ ହୋଇ ଗ୍ରୀଷ୍ମ ଋତୁର ଆଗମନ ହୋଇଥାଏ । ଓଡ଼ିଶା ତଥା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଧୂମଧାମରେ ପାଳନ କରିଥାନ୍ତି ଏହି ପଣା ସଂକ୍ରାନ୍ତିକୁ । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ । ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି । ଏହି ଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗଣନା କରାଯାଏ । ତେଣୁ ଏହି ଦିନ ଓଡ଼ିଆ ନବ ବର୍ଷ ପାଳନ କରାଯାଏ । ଏହି ଦିନ ପ୍ରତ୍ୟେକ ଓଡ଼ିଆ ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ । ବେଲ ପଣାକୁ ସୁସ୍ୱାଦୁ କରିବା ପାଇଁ ଏଥିରେ ଦହି, ଛେନା, ଗୁଡ଼, ଚିନି, ନଡ଼ିଆ, କଦଳୀ, କାଜୁ, କିସମିସ୍ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ । ପ୍ରଥମେ ଏହି ବେଲ ପଣାକୁ ପ୍ରଥେମେ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ ଏହାପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଦିଆଯାଇଥାଏ । ଏହି ଦିନରୁ ଗ୍ରୀଷ୍ମ ଋତୁର ଆଗମନ ହେଉଥିବାରୁ ମାତା ବୃନ୍ଦାବତୀଙ୍କୁ ଗ୍ରୀଷ୍ମ ପ୍ରଭାବରୁ ରକ୍ଷା କରିବା ପାଇଁ ଚଉଁରା ଉପରେ ଜଳ ଠେକି ବନ୍ଧା ହୁଏ । କେବଳ ଏତିକି ନୁହେଁ ବିଭିନ୍ନ ଦେବୀ ମନ୍ଦିରଗୁଡ଼ିକରେ ମହାବିଷୁବ ସଂକ୍ରାନ୍ତି ଦିନ ଝାମୁ ଯାତ୍ରା ପାଳନ କରାଯାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ଖାସ ବିଶେଷତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ ଥାନ୍ତି । ଏହିଦିନ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ । ଆଜି ଦିନର ବୈଜ୍ଞାନିକ ଦୃଷ୍ଟି କୋଣ ମଧ୍ୟ ରହିଛି । ଏହି ମାସରେ ସୂର୍ଯ୍ୟକିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବଢିଥାଏ । ଅତ୍ୟଧିକ ଖରାରୁ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦିନରେ ପଣା ପିଆ ଯାଇଥାଏ । ଯାହା ଫଳରେ ଦେହ ଥଣ୍ଡା ରହିଥାଏ ।