ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ଶେଷ ହୋଇଛି । ଗତକାଲି ଦୈନିକ ନୀତି ଭୋଗମଣ୍ଡପ ସରିବା ପରେ ଚନ୍ଦନ ବେଢ଼ା ହୋଇଥିଲା ଏହାପରେ ଠାକୁରଙ୍କ ବେଶ ହୋଇ ଯାତ୍ରାପୂଜା ହୋଇଥିଲା । ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଶ୍ରୀଜୀଉମାନେ ବିନ୍ଦୁସାଗର କୂଳକୁ ଯାତ୍ରା କରିଥିଲେ । ଚାପଡଙ୍ଗାରେ ଠାକୁର ଠାକୁରାଣୀ ବସି ପୋଖରୀକୁଳ ମଠ ଘାଟ, ମୋହିନୀ ଘାଟ ଏବଂ ଆଖଡ଼ା ଚଣ୍ଡୀଙ୍କଠାରେ ଚାପଡଙ୍ଗାରେ ଥାଇ ଶ୍ରୀଜୀଉଙ୍କୁ ଭୋଗ ଓ ଆଳତି କରାଯାଇଥିଲା । ଏହାପରେ ନାଉରିଆ ସେବାୟତମାନେ ୮ଥର ଚାପ ଡଙ୍ଗାକୁ ଭଉଁରି ଦେଇ ଅଷ୍ଟଶମ୍ଭୁଙ୍କ ନାମରେ ଜଗତିକୁ ଯାଇ ବିଧି ମୁତାବକ ପୂଜାର୍ଚ୍ଚନା କରିଥିଲେ । ସୁଗନ୍ଧିତ ଜଳ ଏବଂ ଫୁଲରେ ସ୍ନାନପୂର୍ବକ ଚନ୍ଦନ କୁଣ୍ଡରେ ଶ୍ରୀଜୀଉଙ୍କୁ ସ୍ନାନ କରାଯାଇ ପୁନଃ ଜଗତିରୁ ଚାପଡଙ୍ଗାକୁ ଆସିଥିଲେ ଶ୍ରୀଜୀଉ । ଅଷ୍ଟଚଣ୍ଡୀଙ୍କ ନାମରେ ଭଉଁରି କରାଯାଇ ବିଶ୍ରାମ ଘାଟକୁ ଆସିଥିଲେ । ଏହି ଅବସରରେ ଠାକୁର ଠାକୁରାଣୀଙ୍କ ଉପରେ ହଳଦୀ ପାଣି ସିଞ୍ଚନ କରାଯାଇ ଶ୍ରୀଜୀଉଙ୍କୁ ବିଶ୍ରାମ ଘାଟକୁ ଅଣାଯାଇଥିଲା । ସେଠାରେ ଅନ୍ୟାନ୍ୟ ନୀତି କରାଯାଇ ଶ୍ରୀଜୀଉ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ରଥଦାଣ୍ଡରେ ଥିବା ତିନି ନିଯୋଗରେ ମାଣ୍ଡୁଅ, କାକରା, ଚୂଡ଼ାଘଷା ଭୋଗ କରାଯାଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ଦିନିଆ ଚନ୍ଦନ ଯାତ୍ରା ଶେଷ ହୋଇଛି ।