ଆଜିଠୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହୋଇଛି । ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ଆରମ୍ଭ କରାଯିବ । ମୋଟ ୫୫ଟି କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ୧୫ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହେବେ । ଖାତା ଦେଖା ପାଇଁ ବୋର୍ଡ ପକ୍ଷରୁ ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ ଓ ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କରାଯାଇଛି । ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି । ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସରିବ । ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସବଜେକ୍ଟିଭ ଖାତା ଦେଖା ପାଇଁ ଗୋଟିଏ ୟୁନିଟରେ ୨୪ ଜଣ ପରୀକ୍ଷକ ରହିଥିବାବେଳେ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକ ରହିଛନ୍ତି । ଗତ ଫେବୃଆରୀ ୨୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ଥିବାବେଳେ ୪ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମୋଟ ୫ଲକ୍ଷ ୫୧ହଜାର ୬୧୧ ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି ।