ଆଜି ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍ଓୟୁ)ର ନୂତନ କୁଳପତି ଭାବେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି । ଓଏସ୍ଓୟୁ ଆଇନ ୨୦୧୪ ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ଆଜି ତାଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ଦିନରୁ ଆସନ୍ତା ୩ ବର୍ଷ ନ ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ଆଜି ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ସୂଚନା ଯେ, ପ୍ରଫେସର ପଟ୍ଟନାୟକ ଏବେ ଚଣ୍ଡିଗଡ଼ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଟିଚର୍ସ ଆଣ୍ଡ ରିସର୍ଚ୍ଚ(ଏନ୍ଆଇଟିଟିଆର)ର ମିଡିଆ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଏମ୍.ଏସ୍ସି, ଏମ୍.ଟେକ୍, ପିଏଚ୍ଡି, ପୋଷ୍ଟ ଡକ୍ଟରେଟ୍ କରିଥିବା ପ୍ରଫେସର ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ୩୩ ବର୍ଷର ଶିକ୍ଷକତା ଏବଂ ୧୧ ବର୍ଷ ୯ ମାସ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଅଧୀନରେ ୨୪ଜଣ ଛାତ୍ରଛାତ୍ରୀ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି । ୧୩ଟି ପୁସ୍ତକ ସମ୍ପାଦନା କରିଥିବା ବେଳେ ଗୋଟିଏର ମୁଖ୍ୟ ସମ୍ପାଦକ, ୩ଟିର ଏଡିଟରସିପ୍, ୩ଟିର ପିର୍ ରିଭ୍ୟୁ କରିଛନ୍ତି । ତାଙ୍କର ୪୮ଟି ସନ୍ଦର୍ଭ ଜାତୀୟ ସମ୍ମିଳନୀ ଓ ୯୩ଟି ଆନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହୋଇଛି । ୩୦୨ଟି ଏକାଡେମିକ ଜର୍ଣ୍ଣାଲ, ୧୩୧ଟି ସ୍କୋପସ୍ ଓ ଏସ୍ସିଆଇ ପ୍ରକାଶିତ ହୋଇଛି । ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)କୁଳପତି ଭାବେ ମଧ୍ୟ ପ୍ରଫେସର ପଟ୍ଟନାୟକ କିଛି ବର୍ଷ କାର୍ଯ୍ୟ କରିଥିଲେ । ୨୦୧୫ ମାର୍ଚ୍ଚରେ ବିପିୟୁଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କାର୍ଯ୍ୟକାଳ ଶେଷ ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ । ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ । ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଥିବା ସମ୍ପର୍କରେ ଇସ୍ତଫା ପତ୍ରରେ ଦର୍ଶାଇଥିଲେ । ତାଙ୍କ ଇସ୍ତଫା ପରେ ବିପିୟୁଟିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।