ଯାଜପୁର ଏନଏଚ-୧୬ର ବାରବାଟୀ ଛକ ନିକଟରେ କାଲିରାତିରେ ଓଭରବ୍ରିଜ୍ ତଳକୁ ଯାତ୍ରୀବାହୀ ବସ୍ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଯେ, ‘କାଳିଆ ନନା’ ନାମକ ବସ୍ଟି ପୁରୀରୁ ଦିନ ୪ଟାରୁ ବାହାରିଥିଲା ଏବଂ ପଶ୍ଚିମବଙ୍ଗର ହଳଦିଆରେ ପହଞ୍ଚିବାର ଥିଲା । ଏଥିରେ ୫୦ରୁ ଅଧିକ ଯାତ୍ରୀ ବସି ଥିଲେ । ବସ୍ଟି କଟକରୁ ଦୀଘା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି । ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି । ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍ଟି ବ୍ରିଜ ତଳକୁ ଖସିଲା ବେଳେ ତଳେ ଲୋକମାନେ ଯିବା ଆସିବା କରୁଥିଲେ । ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି । ତେଣୁ ବସ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା କୁହାଯାଉଥିଲା ବେଳେ ସେମିତି କିଛି ବି ଘଟନି । ଖବର ପାଇ ତୁରନ୍ତ ପୋଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଉଦ୍ଧାରକାରୀ ଟିମକୁ ସେମାନଙ୍କୁ ସାଧାରଣ ଲୋକମାନେ ରେସ୍କ୍ୟୁ ଅପରେସନରେ ସହାୟତା କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ ଓ ୫ଟି କ୍ରେନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ଦୁର୍ଘଟଣାର ଖବର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହ ମୃତ ବ୍ୟକ୍ତିମାନଙ୍କ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସମସ୍ତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଦୁର୍ଘଟଣାକୁ ନେଇ ଦଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ଘଟଣାରେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ମହାପ୍ରଭୁଙ୍କ ପାଖରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।’ ଖବର ଅନୁସାରେ, ସମସ୍ତ ଗୁରୁତରଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫ ଗୁରୁତରଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ସେହିପରି ବସ ଡ୍ରାଇଭରଙ୍କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ କିନ୍ତୁ କଣ୍ତକ୍ଟରକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।