ମଞ୍ଜୁଷା :ନାଟ୍ୟ ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ଏବଂ “ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ”ର ମିଳିତ ଆନୁକୂଲ୍ୟରେ ଆମ ରାଜ୍ୟର ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ବିଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ମଞ୍ଜୁଷା ଠାରେ ବିଶ୍ବ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ ଅଭିନେତା ନୀଳକଣ୍ଠ ନାଲ୍ଲା, ବରିଷ୍ଠ ତେଲୁଗୁ ଚଳଚିତ୍ର ଅଭିନେତା କୁମାର ନାୟକ, ପାଲା ଗାୟକ ଖଗେଶ୍ଵର ଗୌଡ଼, ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ କୁରା ଗୌଡ଼, ଆନ୍ଧ୍ର ଓଡ଼ିଆ କଳାକାର ମହାସଂଘ ସମ୍ପାଦକ ସୁରେଶ କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଶ୍ବ ନାଟ୍ୟ ଦିବସ ବିଶ୍ଵୈକ ପରିବାରର ଦ୍ୟୋତକ ଭାବେ କଳାକାର ସମାଜରେ ଭାଇଚାରା ସୃଜିବାରେ ସକ୍ଷମ ବୋଲି ମତବ୍ୟକ୍ତ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ କ୍ରମରେ ନାଟ୍ୟ ଦିବସ ଅନୁଚିନ୍ତା ଉପସ୍ଥାପନ କରିଥିଲେ। ଏହି ଅବସରରେ ପ୍ରଶାନ୍ତ ପଣ୍ଡା ପରିଚାଳିତ ତଥା ଜାନକୀ ପଣ୍ଡା ନିର୍ଦ୍ଦେଶିତ ମୁଣ୍ଡୁଳା ଭାରତ ଲୀଳା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ଜି. କାମରାଜୂ ପାତ୍ର, ମହେନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ସାହୁ, ସ୍ୱପ୍ନା ଗୌଡ଼, କୁମାରୀ ରଶ୍ମି ଦେବୀ ଏବଂ ମଞ୍ଜୁଷା ଓଡ଼ିଆ ସମାଜ ସ୍ବେଛାସେବୀ ଦଳ ସହଯୋଗ କରିଥିବା ବେଳେ ନାଟ୍ୟ – ସୂର୍ଯ୍ୟ ଦେବେନ୍ଦ୍ର ପ୍ରାସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ କ୍ରମରେ ବିଛିନ୍ନାଞ୍ଚଳ ଓଡ଼ିଆ ସମାଜ ଆମ ଠାରୁ ଅଲଗା ନୁହଁ ବରଂ ଆମର ଭାଇ ବନ୍ଧୁ କୁଟୁମ୍ବ ବୋଲି ସୂଚନା ଦେଇଥିଲେ।