ଜୟପୁର :କୋରାପୁଟ ଜିଲ୍ଲା ଜୟପୁରଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସର ଉଦ୍ଘାଟନ କରିବା ସହ ଓଡ଼ିଶାର ୧୨ଟି ଜିଲ୍ଲାରେ ୨୬ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧ ଏକର ଜମିରେ ୪୦ କୋଟି ଟଙ୍କାରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଭଲିବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ରିକେଟ, ଫୁଟବଲ୍ ଖେଳିବା ପାଇଁ ସୁବିଧା ଉପଲବ୍ଧ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୟପୁରର ସ୍ପୋର୍ଟସ କମ୍ପ୍ଲେକ୍ସ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ସାହିତ କରିବ । ବିଶେଷ କରି ବୃତ୍ତିଗତ କ୍ରୀଡା କ୍ଷେତ୍ରରେ ଏହା ଆମ ପିଲାମାନଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି କରିବ । ଗାଁ ଓ ଛୋଟ ସହରର ପିଲାମାନେ ବହୁ ସଂଖ୍ୟାରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ ଏବଂ ଓଡ଼ିଶାରେ କ୍ରୀଡ଼ା ସଂସ୍କୃତିର ବିକାଶ ପାଇଁ ଆମର ପ୍ରୟାସ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ବିଳମ୍ବ ହେଉ ପଛେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।