Monday, July 13, 2026
35.9 C
Brahmapur

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

Share

ଭୁବନେଶ୍ୱର:ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା କାରଣରୁ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୮ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ତେବେ ଶେଷ ୧୭ ବଲରେ ପାଣ୍ଡ୍ୟା ଏବଂ ଜିତେଶ ଶର୍ମା ୩୮ ରନ ଯୋଡ଼ିବାରୁ ଦଳ ସମ୍ମାନଜନକ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ତିଳକ ବର୍ମା ୩୨ ବଲରୁ ୨୬, ଅକ୍ଷର ପଟେଲ ୨୧ ବଲରୁ ୨୩ ରନ ସଂଗ୍ରହ କରିଥିଲେ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ବୋଲର ଲୁଙ୍ଗି ଏନଗିଡି ପ୍ରଥମ ଦୁଇଟି ଉଇକେଟ ଅକ୍ତିଆର କରି ଭାରତକୁ ଅକଳରେ ପକାଇଥିଲେ। ସେ ମୋଟ ୪ ଓଭର ବୋଲିଂ କରି ୩୧ ରନ ବିନିମୟରେ ୩ଟି ଉଇକେଟ ନେଇଥିଲେ। ସେହିପରି ଲୁଥୋ ସିପାମ୍‌ଲା ୨ଟି ଏବଂ ଦୋନୋଭାନ ଫେରେରା ଗୋଟିଏ ଉଇକେଟ ନେଇଥିଲେ। ଇନିଂସ ଓପନ କରିଥିବା ଅଭିଶେକ ଶର୍ମା ଏବଂ ଶୁବମନ ଗିଲ୍ ପ୍ରଥମ ଉଇକେଟ ଭାଗିଦାରିରେ ମାତ୍ର ୫ ରନ କରିଥିଲେ। ୨ୟ ଉଇକେଟରେ ଅଭିଶେକ ଏବଂ ସୂର୍ଯ୍ୟ କୁମାର ଯାଦବ ୧୨ ରନ ଯୋଡ଼ିଥିଲେ। ଏହା ପରେ ଭାରତ କ୍ରମାଗତ ଭାବେ ଉଇକେଟ ହରାଇଥିଲା।

Read more

Local News