ଭୁବନେଶ୍ୱର:- କଣାସରେ ଝାଡ଼ାବାନ୍ତି ! ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଅସୁସ୍ଥ । ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୟା ନଦୀ ଜଳ ବ୍ୟବହାର ଦ୍ବାରା ଏଭଳି ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି । ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ପ୍ରଶାସନ ତରଫରୁ ଗାଁରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ନଳକୂପ ଅଭାବ ପାନୀୟ ଜଳ ସଙ୍କଟକୁ ଦ୍ବିଗୁଣିତ କରିଛି । ସେପଟେ ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଅଭିଯାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ କଣାସ ଥାନାରେ ଅଭିଯୋଗ କରାଯାଇଛି।
ପୁରୀ ଜିଲ୍ଲା କଣାସ ବ୍ଲକରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । କଣାସ ବ୍ଲକର ବିଭିନ୍ନ ଗ୍ରାମରେ ଝାଡାବାନ୍ତି ବ୍ୟାପୁଥିବାବେଳେ ଏବେ ପ୍ରଶାସନର ନିଦ ହଜାଇ ଦେଇଛି । ଗତକାଲି (ସୋମବାର) 20 ଜଣ ଡାଇରିଆ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ନୂଆଗାଁ ଗ୍ରାମର ଅହଲ୍ୟା ଦଳାଇ, ତାରା ବେହେରା ଓ କବିତା ରାଉତରାୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଆଇସିୟୁରେ ରହିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଟିମ୍ ଝାଡାବାନ୍ତି ବ୍ୟାପିଥିବା ଗ୍ରାମକୁ ଯାଇ ସଚେତନା କରାଇବା ସହିତ ଦୟା ନଦୀର ଜଳକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ନୂଆଗାଁ ଗ୍ରାମର ସାରଥୀ ପ୍ରଧାନ ଓ ସଚଳା ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ରାତ୍ରରେ ମାଗି ଦଳାଇ ଏବଂ ନଇକୂଳ ପାଟଣା ଗ୍ରାମର ଗୁରେଇ ସେଠୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
Share
Read more