ଭୁବନେଶ୍ୱର, ୯/୧୧ (ରାଜେନ୍ଦ୍ର ପ୍ରସାଦ ନାୟକ): ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଗତ ୩ ତାରିଖରେ ଆୟୋଜିତ ଭାରତ ନବୀକରଣଯୋଗ୍ୟ ଶକ୍ତି ଶିଖର ସମ୍ମିଳନୀ-୨୦୨୬ ଅବସରରେ ସବୁଜ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅନୁଯାୟୀ ଆଇଆଇଟି ଭୁବନେଶ୍ୱର, ଗ୍ରିଡ୍କୋ ଓଡ଼ିଶା, ମାନିଟ୍ ଭୋପାଳର ଶକ୍ତି ପରିବର୍ତ୍ତନ ମିଶନ କେନ୍ଦ୍ର ଓ ମଧ୍ୟପ୍ରଦେଶ ଉର୍ଜା ବିକାଶ ନିଗମ ମଧ୍ୟରେ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ, ଅକ୍ଷୟ ଶକ୍ତି ସମନ୍ୱୟ, ବିଦ୍ୟୁତ୍ ଗ୍ରିଡ୍ର ଆଧୁନିକୀକରଣ ଓ ନୂତନ ପ୍ରଯୁକ୍ତିର ବିକାଶ ଦିଗରେ ମିଳିତ ଗବେଷଣା ଓ ଶୈକ୍ଷିକ ସହଯୋଗ ହେବ। ଓଡ଼ିଶା ରାଜ୍ୟ ଅଧିବେଶନରେ ଆୟୋଜିତ ଏହି ବୁଝାମଣାପତ୍ର ଆଦାନପ୍ରଦାନ କାର୍ଯ୍ୟକ୍ରମରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଏମ୍ଏନ୍ଆର୍ଇ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ମଧ୍ୟପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମନୁ ଶ୍ରୀବାସ୍ତବ ଓ ଗ୍ରିଡ୍କୋ ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ ଉପସ୍ଥିତ ଥିଲେ। ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଡିନ୍ ପ୍ରଫେସର ଏସ୍.ଆର୍. ସାମନ୍ତରାୟ ଏଥିରେ ଅଂଶଗ୍ରହଣ କରିଥିଲେ।ଏହି ସହଯୋଗ ମାଧ୍ୟମରେ ମିଳିତ ଗବେଷଣା, ଗ୍ରିଡ୍ ନମନୀୟତା ଓ ବିଶ୍ଳେଷଣ, ନୂତନ ପ୍ରଯୁକ୍ତିର ପରୀକ୍ଷଣ ଓ ପ୍ରଦର୍ଶନ, ବୈଦ୍ୟୁତିକ ଯାନ ଓ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ସମନ୍ୱୟ ନେଇ ନୀତିଗତ ସୁପାରିସ ପ୍ରସ୍ତୁତ କରାଯିବ। ଏହା କୌଣସି ସେବା ପ୍ରଦାନ ପାଇଁ ବାଧ୍ୟବାଧକ ଚୁକ୍ତି ନୁହେଁ ବୋଲି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।