ବାଲିଗୁଡ଼ା: (ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଅଁଳା ନବମୀ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି ଅଁଳା ନବମୀ ଉତ୍ସବ। ଏହି ପବିତ୍ର ତିଥିରେ ମା’ ରାଧାରାଣୀ ଦୁର୍ଲଭ ଓଡ଼ିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ମନୋହର ବେଶ ଓ ପାଦପଦ୍ମ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା। ପରମ୍ପରା ଓ ଧାର୍ମିକ ବିଶ୍ୱାସ ଅନୁଯାୟୀ ଅଁଳା ନବମୀ ଦିନ ମା’ ରାଧାରାଣୀଙ୍କ ଏହି ଦୁର୍ଲଭ ଓଡ଼ିଆଣୀ ବେଶର ବିଶେଷ ମହତ୍ତ୍ୱ ରହିଛି। ବର୍ଷର ଏହି ବିଶେଷ ଦିନରେ ମା’ଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ସକାଳୁ ମନ୍ଦିରରେ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଆସି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶତାଧିକ ଭକ୍ତ ନିଜ ହାତରେ ଅଁଳା ମାଳ ପ୍ରସ୍ତୁତ କରି ଆଣି ଶ୍ରୀଜଗନ୍ନାଥଙ୍କ ନିକଟରେ ଭକ୍ତିଭାବର ସହ ସମର୍ପଣ କରିଥିଲେ। ମନ୍ଦିରରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବା ପରେ ଠାକୁରାଣୀଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଥିଲା। ନୀତିକାନ୍ତି ସମାପନ ପରେ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ମା’ ରାଧାରାଣୀଙ୍କ ଅପୂର୍ବ ଓଡ଼ିଆଣୀ ବେଶ, ମନୋହର ଶୃଙ୍ଗାର ଓ ପାଦପଦ୍ମ ଦର୍ଶନରେ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଘଣ୍ଟ, ଘଣ୍ଟା, ଶଙ୍ଖ ଧ୍ୱନି ଓ ହରିବୋଲ ହୁଳହୁଳିରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା। ଅଁଳା ନବମୀ ଉତ୍ସବକୁ ନେଇ ବାଲିଗୁଡ଼ା ସହରରେ ଏକ ଆଧ୍ୟାତ୍ମିକ ଓ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ମନ୍ଦିର ପରିସରକୁ ଉତ୍ସବମୁଖର କରିଥିଲା।
ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶରେ ଅଁଳା ନବମୀ ପାଳିତ : ପାଦପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
Share
Read more