ଜଟଣୀ, ୧୭/୧୧ (ରାଜେନ୍ଦ୍ର ପ୍ରସାଦ ନାୟକ) ନ୍ୟାସନାଲ୍ ଥ୍ରୋବଲ୍ ଚାମ୍ପିଅନସିପ୍ ଓ ଆମେଚର୍ ଥ୍ରୋବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜଟଣୀରେ ୪୭ତମ ଡେ ଆଣ୍ଡ୍ ନାଇଟ୍ ସିନିୟର ନ୍ୟାସନାଲ୍ ଥ୍ରୋବଲ୍ ଚାମ୍ପିଅନସିପ୍ ୨୦୨୬ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ଖେଳ ପଡ଼ିଆରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ। ଟୁର୍ଣ୍ଣାମେଣ୍ଟରେ ସାରା ଦେଶର ୨୫ଟି ରାଜ୍ୟରୁ ପୁରୁଷ ଓ ମହିଳା ବର୍ଗର ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ଖେଳାଳି ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦୦ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟରେ ଦୁଇଶହ ଜଣ ଅଫିସିଆଲ୍ ରହିବେ। ଏ ନେଇ ସୋମବାର ଜଟଣୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନର ସମ୍ପାଦକ କୈଳାସ ଚନ୍ଦ୍ର ବାରିକ ଓ ଲୋକାନ୍ତ ବନ୍ଧୁ ଦାସ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ। ଉପସଭାପତି ରାଜେନ୍ଦ୍ର କୁମାର ପ୍ରଧାନ, କୋଷାଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି, ସୁଶୀଲ କୁମାର ବେହେରା ଓ ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କ୍ରୀଡ଼ା ମହାକୁମ୍ଭରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିମାନେ ଭାରତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।