ଜଟଣୀରେ ବନ୍ଧୁ ମିଳନ ଓ ଅନ୍ନକୂଟ ମହୋତ୍ସବ ପାଳିତ

Share

ଜଟଣୀ, ୧୦/୧୧(ରାଜେନ୍ଦ୍ର ପ୍ରସାଦ ନାୟକ) : ଜଟଣୀ ସ୍ଥିତ ଶ୍ରୀ ଗୋପୀନାଥଜୀ ମନ୍ଦିର ଏବଂ ହାଟବଜାର ସ୍ଥିତ ଶ୍ରୀ ରଘୁନାଥଜୀ ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୀପାବଳୀର ଦ୍ୱିତୀୟ ଦିବସ ସୋମବାର ସନ୍ଧ୍ୟାରେ ବନ୍ଧୁ ମିଳନ ଓ ଅନ୍ନକୂଟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଗୋପୀନାଥଜୀ ମନ୍ଦିରରେ ୯୭ ବର୍ଷ ଧରି ଏବଂ ରଘୁନାଥଜୀ ମନ୍ଦିରରେ ୮୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅନ୍ନକୂଟ ମହୋତ୍ସବ ପାଳନ କରାଯାଇ ଆସୁଛି। ଏବର୍ଷ ଅନ୍ନକୂଟ ମହୋତ୍ସବରେ ଜଟଣୀ ମାରୱାଡ଼ୀ ସମାଜର ପ୍ରାୟ ସମସ୍ତ ପରିବାର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମାଜର ଶତାଧିକ ମହିଳା, ପୁରୁଷ, ଯୁବକ ଓ ଯୁବତୀ ସପରିବାର ମିଳିତ ଭାବେ ଅନ୍ନକୂଟ ପ୍ରସାଦ ସେବନ କରିଥିଲେ। ଭୁବନେଶ୍ୱର, ଖୋର୍ଦ୍ଧା ଆଦି ସ୍ଥାନରେ ରହୁଥିବା ଜଟଣୀର ଶତାଧିକ ପରିବାର ମଧ୍ୟ ଏହି ମହୋତ୍ସବରେ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ମନ୍ଦିରରେ ଉପସ୍ଥିତ ସମାଜର ଲୋକମାନେ ପରସ୍ପରକୁ କୋଳାଗ୍ରତ କରି ଏବଂ ବୟୋଜ୍ୟେଷ୍ଠଙ୍କ ପାଦ ସ୍ପର୍ଶ କରି ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ।

ଉତ୍ତର ଭାରତରେ ପାଳିତ ଏହି ପର୍ବକୁ ‘ଗୋବର୍ଦ୍ଧନ ପୂଜନ’ ଭାବେ ମଧ୍ୟ ପାଳନ କରାଯାଏ। ପୌରାଣିକ ମାନ୍ୟତା ଅନୁସାରେ, ପ୍ରଭୁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ଅହଙ୍କାର ଚୂର୍ଣ୍ଣ କରିବା ଏବଂ ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ଦ୍ୱାରା ସୃଷ୍ଟ ଅତିବୃଷ୍ଟିରୁ ରକ୍ଷା କରିବା ପାଇଁ ଗିରି ଗୋବର୍ଦ୍ଧନ ପର୍ବତକୁ ନିଜ କନିଷ୍ଠ ଆଙ୍ଗୁଳିରେ ଉଠାଇ ଧରିଥିଲେ। ସେବେଠାରୁ ବ୍ରଜବାସୀ ଓ ଉତ୍ତର ଭାରତୀୟ ଲୋକମାନେ ପ୍ରତିବର୍ଷ ଦୀପାବଳୀର ଦ୍ୱିତୀୟ କିମ୍ବା ତୃତୀୟ ଦିବସରେ ଗିରି ଗୋବର୍ଦ୍ଧନ ଭଗବାନଙ୍କୁ ପୂଜା କରି ୫୬ ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ପ୍ରସାଦ ଭୋଗ ଲଗାଇ ଆସୁଛନ୍ତି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଆଜି ମଧ୍ୟ ଜାରି ରହିଛି। ଉଭୟ ମନ୍ଦିରରେ ସମାଜର ସମସ୍ତ ବନ୍ଧୁ ଏକାଠି ବସି ଅନ୍ନକୂଟ ପ୍ରସାଦ ସେବନ କରିଥିଲେ। ବୟୋଜ୍ୟେଷ୍ଠଙ୍କ ପାଇଁ ଅନ୍ନକୂଟ ପ୍ରସାଦ ଟିଫିନରେ ଭରି ଘରକୁ ନେଇଯାଇଥିଲେ। ଜଟଣୀ ମାରୱାଡ଼ୀ ସମାଜର ସହଯୋଗରେ ଗୋପୀନାଥ ମନ୍ଦିର କମିଟି ଦ୍ୱାରା ଏହି ମହୋତ୍ସବ ଆୟୋଜିତ ହୋଇଥିଲା। ମହୋତ୍ସବକୁ ସଫଳ କରିବାରେ ମାରୱାଡ଼ୀ ଯୁବ ମଞ୍ଚ, ଜଟଣୀ ସିଟି ଶାଖା, ଗୋପୀନାଥ ସେବା ସମିତି, କର୍ମା ଗ୍ରୁପ୍, ଜୟ ଶମ୍ଭୁ ଗୋପେଶ୍ୱର ସଂଘ, ଫ୍ରେଣ୍ଡସ୍ କ୍ଲବ୍, ମାରୱାଡ଼ୀ ମହିଳା ସମିତି ସମେତ ସମାଜର ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା।ଗୋପୀନାଥ ମନ୍ଦିରର ସଭାପତି ମହେଶ ଅଗ୍ରୱାଲ, ସମ୍ପାଦକ ପ୍ରଦୀପ ଅଗ୍ରୱାଲ, ଉପସଭାପତି ଶଙ୍କର ପ୍ରସାଦ ଅଗ୍ରୱାଲ, ପବନ ଝୁନଝୁନୱାଲା, ରତନ ଦୁଧୱାୱାଲା, ରୋହତାସ ପାଲିୱାଲ, ରବୀନ୍ଦ୍ର ସରାଫ, କମଲ ମୋଦି, ମନୋଜ ଶର୍ମା, ରାଜେଶ ଅଗ୍ରୱାଲ ସମେତ ମନ୍ଦିର କମିଟି ତଥା ସମାଜର ଅନ୍ୟାନ୍ୟ ସଦସ୍ୟ କାଳୀଚରଣ ସୋନ୍ଥଲିଆ, ବିମଳ ମୋଦି ପ୍ରମୁଖ ମହୋତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ। ଅନ୍ନକୂଟ ମହୋତ୍ସବ ସୋମବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ବିଶେଷ ଅତିଥି ଭାବେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ବିଜେପି ନେତା ସୁଦୀପ୍ତ ରାୟ, ଖୋର୍ଦ୍ଧା ବିଧାୟକ ପ୍ରସାନ୍ତ ଜଗଦେବ, ବିଶ୍ୱରଞ୍ଜନ ବଡ଼ଜେନା, ନଗରପାଳ ଅନନ୍ତ କୁମାର ବେହେରା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ସମେତ ଜଟଣୀ, ଭୁବନେଶ୍ୱର ଓ ଖୋର୍ଦ୍ଧାର ଅନେକ ଗଣମାନ୍ୟ ବ୍ୟକ୍ତି ଯୋଗଦେଇ ଅନ୍ନକୂଟ ପ୍ରସାଦ ସେବନ କରି ପରସ୍ପରକୁ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଅଧିକ ଶ୍ରଦ୍ଧାଳୁ ଅନ୍ନକୂଟ ପ୍ରସାଦ ସେବନ କରିଥିଲେ ଏବଂ ପରିବାର ସଦସ୍ୟଙ୍କ ପାଇଁ ପ୍ରସାଦ ପାର୍ସଲ କରି ଘରକୁ ନେଇଯାଇଥିଲେ।

Read more

Local News