ଭୁବନେଶ୍ଵର, ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଗଠନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୬ ଦଫା ମୌଳିକ ଦାବି ନେଇ ବୁଧବାର ରାଜ୍ୟର ପ୍ରାୟ ଦୁଇ ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଛନ୍ତି । ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ବାଦିକବର୍ଗ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ କ୍ରମାଗତ ଭାବେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମୂହକୁ ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା ଅଦ୍ୟାବଧୂ କୌଣସି ସୁଫଳ ମିଳିପାରି ନାହିଁ । ଦାବିଗୁଡ଼ିକ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ସ୍ଵାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ ସନ୍ତାନମାନଙ୍କୁ ସାମିଲ୍ କରାଯିବା, ମିଡ଼ିଆ ଏକାଡ଼େମୀ ଗଠନ କରିବା, ଅଧ୍ଵସ୍ଵୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧ୍ଵସ୍ଵୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରବେଶାଧୂକାର ଅନ୍ତର୍ଭୁକ୍ତ ରହିଛି । ଏହି ଅବସରରେ ବୁଧବାର ବିଧାନସଭା ଅଧୁବେନଶ କାଳରେ ଲୋୟର ପିଏମଜି ଠାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରି ଦୀର୍ଘଦିନର ଦାବି ପ୍ରତି ସରକାରଙ୍କ ଅଣଦେଖା ନେଇ କ୍ଷୋଭ ପ୍ରକାଶ କରିବା ସହ ଖୁବ୍ ଶୀଘ୍ର ଏହି ଦାବିଗୁଡ଼ିକୁ ପୂରଣ କରିବାରେ ସରକାର ଟାଳଟୁଳନ ନୀତି ଅବଲମ୍ବନ କଲେ, ତେବେ ୩୦ଟି ଜିଲ୍ଲାର ସାମ୍ବାଦିକ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ।