ବ୍ରହ୍ମପୁର, : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ୫୩,୪୭,୩୧୫ କୋଟି ଟଙ୍କାର ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏହା ଏକ ଲୋକାଭିମୁଖୀ, ଯୁଗାନ୍ତକାରୀ ଓ ଯୁବ ଶକ୍ତି ବଜେଟ । ଆତ୍ମମନିର୍ଭର ଭାରତ ତଥା ବିକଶିତ ଭାରତ ଗଠନ ସ୍ଵପ୍ନ ସାକାର କରିବା ପାଇଁ ଏହି ବଜେଟ ଅଭିପ୍ରେତ ବୋଲି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ଏହି ବଜେଟ୍ ତିନୋଟି ମୂଖ୍ୟ କର୍ତ୍ତବ୍ୟ ଉପରେ ଆଧାରିତ ।୧. ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ।୨. ଦେଶବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବା ।୩. ଉତ୍ତମ ଶାସନ ପାଇ ଫୋର୍ସ ମଲ୍ଟିପ୍ଲାୟର ଭାବେ କାର୍ଯ୍ୟ କରିବାକୁ ଜ୍ଞାନ କୌଶଳର ବିକାଶ କରିବା । 4. ଯୁବ, ମହିଳାଙ୍କ ପାଇଁ ସୁଭଦ୍ରା, ଉତ୍କର୍ଷ ଓଡ଼ିଶା ଭଳି ଟିଟାନିୟମ ପ୍ରଡକସନ କମ୍ପ୍ଲେକ୍ସ ଆଦି ସମୃଦ୍ଧ ଓଡ଼ିଶା ପ୍ରଦେଶ ଗଠନ ପଦକ୍ଷେପକୁ ଏହି ବଜେଟ୍ କ୍ରିୟାଶୀଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସ୍ଵପ୍ନ ସାକାର କରିବା ପାଇଁ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଓ ଆର୍ଥିକ ସୁଦୃଢୀକରଣ, ମଧ୍ୟବିତ୍ତ ଶ୍ରେଣୀର ସଶକ୍ତିକରଣ, ଦକ୍ଷ ମାନବ ସମ୍ଭଳ ସୃଷ୍ଟି , ପୂର୍ବଦୋୟ ଭାରତର ବିକାଶ, ଗ୍ରାମୀଣ ଜନଜୀବନକୁ ପୁନର୍ଜୀବିତ କରିବା, ସହରୀକରଣ, କୃଷି ଓ କୃଷକର ସାମଗ୍ରିକ କଲ୍ୟାଣ, ନାରୀ ଶକ୍ତିର ନେତୃତ୍ୱ, ସାମାଜିକ ନ୍ୟାୟ ଓ ସମସ୍ତ ବର୍ଗର କଲ୍ୟାଣ ମାଧ୍ୟମରେ ଅମୃତ କାଳ, ଐତିହ ଓ ପର୍ଯ୍ୟଟକ ଶିଳ୍ପର ବିକାଶ ଲକ୍ଷ୍ୟରେ ଏହି ଯୁଗାନ୍ତକାରୀ ଓ ଐତିହାସିକ ବଜେଟ ଉପସ୍ଥାପନ ହୋଇଛି । ବିରଳ ଖଣିଜ ପଦାର୍ଥ ନିମନ୍ତେ ଖଣି ପ୍ରକ୍ରିୟାକରଣ, ଗବେଷଣା ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଦେଶର ମାଇନିଙ୍ଗ କ୍ୟାପିଟାଲ ଓଡ଼ିଶାରେ ରେୟାର ଅର୍ଥ କରିଡ଼ର ପ୍ରତିଷ୍ଠା ଘୋଷଣା ହୋଇଛି। ଫଳରେ ବିରଳ ଖଣିଜ ପଦାର୍ଥ ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ । ଏହା ଆମ ଜିଲ୍ଲାର ଛତ୍ରପୁର ଠାରେ ପ୍ରତିଷ୍ଠା ହୋଇଥିବା ମାଟିଖାଲ ସ୍ଥିତ ଭାରତୀୟ ବିରଳ ମୃତ୍ତିକା କମ୍ପାନୀରେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହିତ ଆମ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟକୁ ସଶକ୍ତ କରିବ । ଏହା ସହିତ ସ୍ଥାନୀୟ ଶିଳ୍ପ ଏବଂ ବୈଦ୍ୟୁତିକ ଓ ଅକ୍ଷୟ ଶକ୍ତି ସମେତ ଉଚ୍ଚ ବୈଷୟିକ କ୍ଷେତ୍ରକୁ ପ୍ରୋସାହନ ଦେଇ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାସହିତ ମୋନୋସାଇଟ, ଟିଟାନିୟମ୍, ପିଗମେଣ୍ଟ , ଜିର୍କୋନିଅମ ଭଳି ଅନେକ ବିରଳ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ଓ ଉତ୍ପାଦନ ଏବଂ ଅନେକ ଶିଳ୍ପ ପ୍ରତିଷ୍ଠା ଦିଗରେ ସହାୟକ ହେବ । ଲିଥିୟମ ପରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ସୁରକ୍ଷିତ ଓ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ କ୍ରିଟିକାଲ୍ ମିନେରାଲ ମିସନ୍ (NCMM) ମାଧ୍ୟମରେ ଆସନ୍ତା ୭ ବର୍ଷରେ ୩୪୦୦୦୦ କୋଟି ଟଙ୍କା ବ୍ୟୟ କରାଯିବ । ଖଣିଜ ଯୋଗାଣ ଶୃଙ୍ଖଳା ( supply chain) ପାଇଁ ୧୬୩୦୦ କୋଟି ଟଙ୍କା, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ, ୪ ଟି ରାଜ୍ୟରେ ନୂତନ ରେୟାର ଅର୍ଥ କରିଡର ଏବଂ କୋଇଲା ବାଷ୍ପୀକରଣ ପାଇଁ ୩୫୦୦୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି । ପୂର୍ବ ତଟ ବିକାଶ କରିଡର ଗଠନରେ ଏହି ବଜେଟ ଗୁରୁତ୍ଵ ବହନ କରିଛି । ଫଳରେ ଉପକୂଳ ଅଞ୍ଚଳ ପର୍ଯ୍ୟଟନ ଓ ଅର୍ଥନୈତିକ ହବ୍ ପାଲଟିବ । ଉପକୂଳ ସଂଯୋଗ ହେତୁ ଗଞ୍ଜାମ ଜିଲ୍ଲା ଲାଭାନ୍ୱିତ ହେବ । ଗଞ୍ଜାମ ଜିଲ୍ଲାର ଉପକୂଳ ବିକାଶ ସହିତ ଚିଲିକା ଉପକୂଳ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ । ମିଶନ ପୂର୍ବୋଦୟ ଯୋଜନାରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ବିକଶିତ ଭାରତର ଏକ ଅଭିବୃଦ୍ଧି ଇଞ୍ଜିନରେ ପରିଣତ କରିବ । ୨୦ ଟି ନୂତନ ଜାତୀୟ ଜଳପଥ କାର୍ଯ୍ୟକ୍ଷମ ହେବ । ତନ୍ମଧ୍ୟରେ ଓଡ଼ିଶାର NW-5 ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଖଣିଜ ସମୃଦ୍ଧ ଅଞ୍ଚଳ ସହିତ ପ୍ରମୁଖ ଶିଳ୍ପ ଓ ବନ୍ଦର ସଂଯୋଗ କରିବ। ଯାହା ଦକ୍ଷ ଓ ସୁଲଭ ମାଲ୍ ପରିବହନରେ ସହାୟକ ହେବ । ଏହି ଜଳପଥ ତାଳଚେର, ଅନୁଗୁଳ, କଳିଙ୍ଗ ନଗର ଆଦି ଖଣି ଅଞ୍ଚଳକୁ ପାରାଦୀପ ବନ୍ଦରର ସହ ଯୋଡିବ । ସମନ୍ଵିତ ସହରୀ ଅଭିବୃଦ୍ଧି ଲକ୍ଷ୍ୟରେ ୫ ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରକୁ City Economic Region ଅନ୍ତର୍ଭୁକ୍ତ କରାଯାଇଛି । ଏହା ସହରର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ବ୍ରହ୍ମପୁର ମହାନଗର ଏଥିରୁ ସୁଫଳ ପାଇବ । ପରିବେଶ ସୁରକ୍ଷା ପ୍ରୋସାହନ ପାଇଁ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେ ଗଣ ଅଣ୍ଡାଦାନ ନିମନ୍ତେ Turtle Trail ବିକଶିତ କରାଯିବ । ବଜେଟରେ ଏହି ପ୍ରକୃତି ଭିତ୍ତିକ ପର୍ଯ୍ୟଟନ ଯୋଜନା, ପରିବେଶ ଅନୁକୂଳ ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେଇଛି । ଫଳରେ ରିଷିକୁଲ୍ୟା ମୁହାଣରେ ପ୍ରତିବର୍ଷ ଲକ୍ଷାଧିକ ସାମୁଦ୍ରିକ କଇଁଛଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିବା ସହ ପର୍ଯ୍ୟଟନ ମାନଚିତ୍ରରେ ବିଶ୍ୱରେ ସ୍ଥାନ ପାଇବ । ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାର ନଡ଼ିଆ, କାଜୁ ଓ କିଆ ଚାଷକୁ ପ୍ରୋସାହନ ମିଳିବ । ଏହା ଗ୍ରାମୀଣ ନିଯୁକ୍ତିକୁ ଉତ୍ସାହିତ କରିବା ସହ ଆୟ ଦ୍ଵିଗୁଣିତ କରିବ । ଗଞ୍ଜାମର ବାହୁଡ଼ା ଠାରେ ଦେଶର ସର୍ବବୃହତ ବନ୍ଦର ନିର୍ମାଣ ହେବ । ଏ ବାବଦରେ ୨୧୫୦୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ହୋଇଛି । ଏହା ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ର ଗୁରୁତ୍ଵ କୁ ବହନ କରୁଛି । ଗୋପାଳପୁର ବନ୍ଦର ସମ୍ପ୍ରସାରଣ ,ଟାଟା SEZ ରେ ଗ୍ରୀନ ହାଇଡ୍ରୋଜେନ୍ ଓ ଅମୋନିଆ ସେକ୍ଟର ପାଇଁ ୭୨୦୦ କୋଟି ଟଙ୍କା, LNG terminal ସ୍ଥାପନ ପାଇଁ ୬୫୦୦ କୋଟି ଟଙ୍କା, chemical sector ପାଇ ୪୦୦୦ କୋଟି, solar industry ବାବଦରେ ୩୫୦୦ କୋଟି, ଗ୍ରୀନ energy plant ପାଇଁ ୨୫୦୦ କୋଟି ସମେତ ୧୨ ଟି ଶିଳ୍ପ ପ୍ରତିଷ୍ଠା ବାବଦରେ ୨୮୦୮୪ କୋଟି ଟଙ୍କା ବ୍ୟୟ ରେ ଆରମ୍ଭ ହୋଇସାରିଥିବା ପ୍ରକଳ୍ପ ଆଗତ କେନ୍ଦୀୟ ବଜେଟ୍ ଦ୍ଵାରା ତ୍ୟାରାନିତ ହେବ ।ମୁଖ୍ୟ ଘୋଷଣାବଳି : ବାୟୋ ଫାର୍ମ ଶକ୍ତି: ଆଗାମୀ ୫ ବର୍ଷ ପାଇଁ ୧୦୦୦୦ କୋଟି ଟଙ୍କାର ବ୍ୟୟ ବରାଦ। ୩ ଟି ନୂତନ NIPER ( Natinal Institute of Pharmaceutical Education and Research) ପ୍ରତିଷ୍ଠା ଏବଂ ୭ ଟିର ଉନ୍ନତୀକରଣ କରାଯିବ । ସେମି କଣ୍ଡକ୍ଟର ମିସନ୍ ୨.୦ : ଏହି ମିଶନର ଶୁଭାରମ୍ଭ ହୋଇ ୪୦୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଶିଳ୍ପ ଓ ବୟନ ଶିଳ୍ପ: ଶ୍ରମ ଭିତ୍ତିକ ବୟନ ଶିଳ୍ପ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏବଂ ଖଦି ଓ ହସ୍ତତନ୍ତ ପାଇଁ ‘ମହାତ୍ମାଗାନ୍ଧୀ ଗ୍ରାମ ସ୍ଵରାଜ ‘ ଯୋଜନା। ପୁଞ୍ଜି ବ୍ୟୟ ( Capital Expenditure): ଆର୍ଥିକ ବର୍ଷ ୨୦୨୭ ପାଇଁ ଏହାକୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । MSME ପାଣ୍ଠି : MSME ଗୁଡିକର ବିକାଶ ପାଇଁ ୧୦୦୦୦ କୋଟି ଟଙ୍କାର growth fund. ପାରମ୍ପରିକ ଚିକିତ୍ସା: ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ପ୍ରମାଣ ଭିତ୍ତିକ ଗବେଷଣା ଏବଂ ପ୍ରଶିକ୍ଷଣକୁ ବ୍ୟାପକ କରାଯିବ। ୨୦୦୦୦ ନୂତନ ବିଶେଷଜ୍ଞ ପ୍ରସ୍ତୁତ କରାଯିବ । SHE Mart: ମହିଳା ଉଦ୍ୟୋଗୀ ଭାବେ ମହିଳାଙ୍କୁ ସଶକ୍ତ କରିବା ଉଦ୍ଧେଶ୍ୟରେ କ୍ଳଷ୍ଟର ଲେବଲ୍ ଫେଡେରେସନ୍ ଅଧୀନରେ ସମୁଦାୟ ମାଲିକାନା ବିଶିଷ୍ଟ ଖୁଚୁରା କେନ୍ଦ୍ର ଉଦ୍ୟୋଗୀ ମାର୍ଚ ସ୍ଥାପନ ହେବ। Make In India କୁ ପ୍ରୋସାହନ: ବୈଦ୍ୟୁତିକ ଯାନ (EV) ର ବିଭିନ୍ନ ଯନ୍ତ୍ରାଂଶ, ଲିଥିୟମ ବ୍ୟାଟେରୀ, ମୋବାଇଲ ଉତ୍ପାଦନ, ସୌର ପିଭି ( Solar PV) cell ଏବଂ ୩୬ ଟି ଜୀବନରକ୍ଷକ ଔଷଧ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମେତ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବିଜେପି ନେତା ଅଜିତ ସାହୁ,ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ସତପଥୀ,ଜିଲ୍ଲା ସାଧାରଣ ସମ୍ପାଦକ ଗୈାରୀ ଶଙ୍କର ସାମନ୍ତରା,ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଏହି ସାମ୍ବାଦିକ ସମ୍ମିଳନୀକୁ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର ଏବଂ ଜିଲ୍ଲା ସମ୍ପାଦକ ଶିବ ଶଙ୍କର ନାୟକ ପରିଚାଳନାରେ ସହଯୋଗ କରିଥିଲେ ।