ଅସୁରବନ୍ଧ ପଞ୍ଚାୟତ ପରିସରରୁ ଶାଗୁଆନ ଗଛ ଚୋରି

Share

ରେଞ୍ଜରଙ୍କୁ ଖାତିର କରୁ ନାହାନ୍ତି ଫରେଷ୍ଟର

ସୋରଡ଼ା: ଗଞ୍ଜାମ ଜିଲ୍ଲାର ସୋରଡ଼ା ଅଞ୍ଚଳ ସବୁଜିମାରେ ଭରା ଏକ ଅଞ୍ଚଳ ରୂପେ ବେଶ୍ ଆଦୃତ ହୋଇ ଆସୁଥିବା ବେଳେ ବର୍ତମାନ ବାୟୁମଣ୍ଡଳକୁ ଖରାପ କରିବାରେ ଲାଗିଛନ୍ତି କିଛି କାଠ ମାଫିଆ । ସୋରଡ଼ାରେ ଦିନକୁ ଦିନ ଗଛ କଟା ଏବଂ କାଠ ଚୋରି ବଢ଼ିବାରେ ଲାଗିଛି। ଜଙ୍ଗଲ ,ନଦୀ ପଠା,ତଳିଆ ଅଞ୍ଚଳର ପାର୍ଶ୍ଵ ଏବଂ କାହାର ଜମି ରୁ ମଧ୍ୟ ରାତା ରାତି ଗଛ ଉଭାନ ହୋଇଯାଉଥିବା ଦେଖିବାକୁ ମିଳୁଛି । ଦୁଇ ଦିନ ତଳେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ପରିସର ରୁ ଶାଗୁଆନ ଗଛକୁ ଅତି ଭଦ୍ର ଭାବରେ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ କଟା ଯାଇଛି ।ମେସିନ ଦ୍ବାରା ବଡ ବଡ ଗଣ୍ଡିକୁ ଟ୍ରାକ୍ଟରରେ ଲୋଡ କରାଯାଇ ପଠା ଯାଇଛି। ମାଛର ମଝି ଗଡି ଗଲା ପରେ ଅବଶିଷ୍ଟ କିଛି ଲାଞ୍ଜ ଓ ମୁଣ୍ଡ ସଦୃଶ ଗଣ୍ଡୀକୁ ରଖାଯାଇଛି ଯାହାକି ଅସୁରବନ୍ଧ ଫରେଷ୍ଟ ଷ୍ଟାଫ୍ ଦ୍ବାରା ଧରାଯାଇଛି । କେବଳ ବଳକା କାଠ ହିଁ ଧରିଛନ୍ତି ଗାଡ଼ି,ମେସିନ,କାଠ କାଟୁଥିବା ବ୍ୟକ୍ତିଙ୍କ ସନ୍ଧାନ ପାଇ ପାରି ନାହାନ୍ତି । କହିବାକୁ ଗଲେ ପୁରା ସିନେମା ଷ୍ଟାଇଲରେ କାଠ ଚୋରି ଯାଇଛି ।ପଞ୍ଚାୟତ କର୍ମଚାରି ମଧ୍ୟ ଏ ବିଷୟରେ ଅବଗତ ନାହାଁନ୍ତି । ସ୍ଥାନୀୟ ଲୋକଙ୍କୁ ଫରେଷ୍ଟର କହିଛନ୍ତି ଯେ କାଠ ସବୁ ରେଞ୍ଜରଙ୍କ ଅଫିସ ପଠା ଗଲାଣି କିନ୍ତୁ ରେଞ୍ଜର କହୁଛନ୍ତି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନି । ହେଲେ ସତ କିଏ କହୁଛି ! ଫରେଷ୍ଟର ଆଶ୍ଵାସନା ଦେବା ପାଇଁ କହୁଛନ୍ତି ଦୁଇ ଦିନ ପରେ ଅଭିଯୋଗ କରାଯିବ । ହେଲେ ଏହା ରେଞ୍ଜରଙ୍କ ପ୍ରତି ବେଖାତିର ନୁହେଁ ତ ଆଉ କଣ ! ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର କେତେକ ମୁଷ୍ଟିମେୟ ଲୋକଙ୍କ ହାତ ଥିବା ନେଇ ସେହି ଅଞ୍ଚଳର କିଛି ଲୋକ କ୍ଷୋଭ ପ୍ରକାଶ କରିଛନ୍ତି । ଯଦି ଏମିତି ଚାଲେ ତାହେଲେ ଜଙ୍ଗଲ ସବୁ ନିଲୁ ପାଲୁ ହୋଇଯିବା ଥୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସିସି ଟିଭି ଫୁଟେଜ ଦ୍ବାରା ଟ୍ରାକ୍ଟରର ସନ୍ଧାନ କରାଯାଇ ଦୋଷୀକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଅସୁରବନ୍ଧର ଶିବ ପାତ୍ର,ମଦନ ଦଳବେହେରା,ଶରତ ପୃଷ୍ଟି ,ଗଣେଶ ସାହୁ, ଡମ୍ବ ବେହେରା,ବାୟା ସେଠି ଏବଂ ବଂଶି ବେହେରା ଆଦି ମତ ରଖିଛନ୍ତି ।

Read more

Local News