ଜୟସେନ ପାଳ ହତ୍ୟା ମାମଲା:ଆଜୀବନ ଦଣ୍ଡାଦେଶ।

Share

ଆସିକା: ଗଂଜାମ ଜିଲ୍ଲାର ଆସିକା ଏଡିଜେ ପ୍ରବୀର କୁମାର ଚୌଧୁରୀ ଆଜି ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ୨୦୧୫ ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ସଂଗଠିତ ଜୟସେନ ପାଳ ହତ୍ୟା ଘଟଣା ବିଷୟରେ ରାୟ ଦେଲେ। ହତ୍ୟାକାଣ୍ଡରେ ଥିବା ଦୁଇ ଜଣ ହତ୍ୟାକାରୀଙ୍କୁ ଆଜୀବନ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନାର ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାନନ ପାତ୍ର ଓ ଟୁନା ଓରଫ ମନୋଜ ପାତ୍ର କୋର୍ଟରେ ଆଜୀବନ ଦଣ୍ଡ ପାଇଛନ୍ତି। ସେହିଭଳି ଅନ୍ୟ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇ ଏକ ମାସ ଲେଖାଏଁ ଜେଲଦଣ୍ଡ ପାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଇଛି ଆଠ ବର୍ଷ ତଳେ ଅର୍ଥାତ ୨୦୧୫ ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ଜୟସେନ ପାଳ ଓ ତାଙ୍କର ଶ୍ୱଶୁର ବାୟାନାଥ ପାତ୍ର ଏକ ବାଇକ୍‌ରେ ଆସିକାରୁ ନିଜ ଘର ମଙ୍ଗଳପୁର ଫେରୁଥିଲେ। ମଙ୍ଗଳପୁର ଛକରେ ନିଜ ଦୋକାନ ସମ୍ମୁଖରେ ପଞ୍ଚୁ ଓରଫ ପଞ୍ଚାନନ ପାତ୍ର ଓ ଟୁନା ଓରଫ ମନୋଜ ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ସନ୍ତୋଷ ପାତ୍ର, ପାଣ୍ଡ ପାତ୍ର ମିଶି ଜୟସେନଙ୍କ ବାଇକ ଅଟକାଇବା ସହିତ କାଠବଲ୍ଲାରେ ତାଙ୍କର ମୁଣ୍ଡକୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ଜୟସେନଙ୍କ ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ମୃତ ବାୟାନାଥ ପାତ୍ରଙ୍କ ଅଭିଯୋଗ ପ୍ରକାରେ ଆସିକା ଥାନାରେ ୧୪୫/୧୫ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।ଘଟଣାର ଦୁଇ ଦିନ ପରେ ଅଗଷ୍ଟ ୨ ତାରିଖରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟା ମାମଲା ଏସ୍‌ଟି ୧୨/୧୬ ଓ ଏସ୍‌ଟି ୧/୧୮ ପ୍ରକାରେ ଆସିକା ଏଡିଜେ କୋର୍ଟରେ ବିଚାର ଆରମ୍ଭ ହୋଇଥିଲା। ଆଜି ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନ ରାଉଲକେଲା ଟାଉନ ଏସ୍‌ଡିପିଓ ବାଲେଶ୍ଵର ଗିଧିଙ୍କ ସମେତ ୧୦ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ପଞ୍ଚୁ ପାତ୍ର ଓ ଟୁନା ପାତ୍ରଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ଅଟକାଇବା ଅପରାଧ ପାଇଁ ସହଯୋଗୀ ଚନ୍ଦ୍ର ପାତ୍ର, ସନ୍ତୋଷ ପାତ୍ର, ପାଣ୍ଡ ପାତ୍ରକୁ ଆଇପିସି ୩୪୧ ଧାରାରେ ଏକ ମାସ ଦଣ୍ଡାଦେଶ କରିଛନ୍ତି।

Read more

Local News