ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି ଏବଂ ମଙ୍ଗଳବାରଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ସୁରକ୍ଷିତ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ପାଣିପାଗ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିବା ନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ନିଷ୍ପତ୍ତି ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ମଙ୍ଗଳବାରଠାରୁ ୨୦୨୪-୨୫ ଶିକ୍ଷା ବର୍ଷ ଆରମ୍ଭ ହେବ । ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବୟସ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା ଦିଗରେ ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ କୁହାଯାଇଛି । ପ୍ରଥମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମିଟିଭ୍ ଆସେସ୍ମେଣ୍ଟ(ଏସ୍ଏ)-୨ ପରୀକ୍ଷା ଫଳ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୨ରେ ଅବଗତ କରାଇବେ । ଏହି ବୈଠକରେ ଆଉ କୌଣସି ବିଷୟରେ ଆଲୋଚନା ହେବ ନାହିଁ । ଛାତ୍ରଛାତ୍ରୀଙ୍କ ଏସ୍ଏ-୨ ପରୀକ୍ଷା ଫଳ ଆଧାରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦିଗରେ ପ୍ରଧାନଶିକ୍ଷକ ଗୁରୁତ୍ବ ଦେବେ । ଶିକ୍ଷାବର୍ଷ ଆରମ୍ଭ ହେବା କ୍ଷଣି ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସହ ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯିବ । ୬ ତାରିଖରେ ବିଦ୍ୟାଳୟରେ ବିଭିନ୍ନ କ୍ଲବ ଗଠନ ସହ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିବ । ମେ’ ୧ରୁ ୩ ତାରିଖ ମଧ୍ୟରେ ହେଲ୍ଥ କାର୍ଡ, ପ୍ରଶ୍ନପତ୍ର ବ୍ୟାଙ୍କ, ରୁମ୍ର ସଫେଇ ପରି ବିଭିନ୍ନ କାର୍ଯ୍ୟକ୍ରମ ସହ ୪ ତାରିଖରେ ଷ୍ଟାଫ୍ ମିଟିଂ କରାଯାଇ ମେ’ ୬ରୁ ଗ୍ରୀଷ୍ମ ଛୁଟି ଦିଆଯିବ ଏବଂ ଜୁନ୍ ୧୬ରେ ପୁଣିଥରେ ସ୍କୁଲ ଖୋଲାଯିବ ।