ପ୍ରାଣ ବିକଳରେ ଭାରତକୁ ପଳାଇଆସିଲେ ୧୫୧ ସୈନ୍ୟ

Share

ଆଇଜୋଲ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ଆଜିକାଲି ଅସ୍ଥିରତାର ବାତାବରଣ ସୃଷ୍ଟି ହୋଇ ସେନା ଓ ବିଦ୍ରୋହୀମାନଙ୍କ ମଧ୍ୟରେ ରକ୍ତାକ୍ତ ଲଢେଇ ଚାଲିଛି । ନିକଟରେ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ ପ୍ରାଣ ବିକଳରେ ୧୫୧ ଜଣ ସୈନିକ ମିଆଁମାରରୁ ପଳାଇ ଭାରତରେ ଆଶ୍ରୟ ନେଇଛନ୍ତି। ମିଆଁମାରରେ ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ଆରାକାନ ଆର୍ମି ଏକ ସେନା ଶିବିର ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁଁ ଅନେକ ସୈନ୍ୟ ମୃତାହତ ହୋଇଥିବା ସୂଚନା। ତେବେ କିଛି ସୈନିକ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇଥିଲେ ଓ ସେମାନେ ଭାରତୀୟ ସୀମା ଅତିକ୍ରମ କରି ମିଜେରାମର ଲୁଙ୍ଗତଲାଇ ଜିଲ୍ଲାକୁ ପଳାଇଆସି ଭାରତୀୟ ସୀମାରେ ପ୍ରବେଶ କରିବା ପରେ ଆସାମ ରାଇଫଲ୍ସ ପକ୍ଷରୁ ସେମାନଙ୍କୁ ଅଟକ ରଖାଯାଇଛି । ଆହତ ଥିବା ଯବାନ ମାନଙ୍କୁ ପ୍ରାଥମିକ ଚିକିତ୍ସା ଆସାମ ରାଇଫଲ୍ସ ଯବାନମାନେ କରିଥିଲେ। ଆସାମ ରାଇଫଲ୍ସର ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ମିଆଁମାର ସେନାର ଏକ କ୍ୟାମ୍ପକୁ ଆରାକାନ ଆର୍ମି ଲଢୁଆମାନେ ଦଖଲ କରିବା ପରେ ମିଆଁମାର ସେନାର ଏହି ଯବାନମାନେ ଅସ୍ତ୍ରଶସ୍ତ୍ର ନେଇ ଭାରତକୁ ଆସିଯାଇ ଥିଲେ । ଭାରତୀୟ ସେନା ପକ୍ଷରୁ ଆବଶ୍ଯକ ପ୍ରକ୍ରିୟା ପରେ ସେମାନଙ୍କୁ ମିଆଁମାର ସେନା ହାତରେ ଦିଆଯିବ ।

Read more

Local News