ଶାସ୍ତ୍ରୀୟ ସଂଗୀତ ଗାୟକ ଉସ୍ତାଦ୍ ରାସିଦ୍ ଖାନ୍ ମଙ୍ଗଳବାର ଦିନ କୋଲକାତାର ଏକ ଡାକ୍ତରଖାନାରେ ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ରେ ପୀଡିତ ଥିଲେ। ଡିସେମ୍ବରରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା। ଡିସେମ୍ବର ୨୩ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ସାମନାକୁ ଆସିଥିଲା। ଗତ କିଛି ଦିନ ହେବ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟରରେ ରହିଥିବା ସୂଚନା ମିଳିଥିଲା। ପ୍ରଥମେ ତାଙ୍କୁ ମୁମ୍ବାଇର ଟାଟା ମେମୋରିଆଲ୍ କର୍କଟ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ହେଲେ ପରେ ତାଙ୍କୁ କୋଲକାତା ସ୍ଥାନାନ୍ତରିତ ହୋଇଥିଲା। ରାସିଦ ଖାନଙ୍କ ପ୍ରଥମ ମଞ୍ଚ ପ୍ରଦର୍ଶନ ୧୧ ବର୍ଷ ବୟସରେ ହୋଇଥିଲା। ସେ ‘ଜବ୍ ୱି ମେଟ୍’ରେ ଗାଇଥିବା ବନ୍ଦିଶ୍ ଗୀତ ବହୁତ ଲୋକପ୍ରିୟ ହୋଇଥିଲା। ରାସିଦ ଖାନ, ତାଙ୍କ ଜେଜେବାପା ପରି ଭାବବିହ୍ୱଳ ହୋଇ ଗୀତ ଗାଉଥିଲେ। ଉସ୍ତାଦ୍ ଆମୀର ଖାନ ଏବଂ ପଣ୍ଡିତ ଭୀମସେନ ଯୋଶୀଙ୍କ ଗୀତରେ ମଧ୍ୟ ସେ ପ୍ରଭାବିତ ହୋଇଥିଲେ। ସେ ଇଣ୍ଡଷ୍ଟ୍ରିରେ ‘ତୋରେ ବିନା ମୋହେ ଚେନ୍’ ପରି ଏକ ସୁପରହିଟ୍ ଗୀତ ଗାଇଥିଲେ। ଏଥି ସହିତ ସେ କିଙ୍ଗ୍ ଅଫ୍ ଇଣ୍ଡଷ୍ଟ୍ରି ଅର୍ଥାତ୍ ଶାହରୁଖ ଖାନଙ୍କ ଫିଲ୍ମ ‘ମାଇ ନେମ୍ ଇଜ୍ ଖାନ୍’ରେ ମଧ୍ୟ ଏକ ଗୀତ ଗାଇଛନ୍ତି। ନିଜ ସ୍ୱର ସହିତ ସଙ୍ଗୀତ ଜଗତକୁ ବିସ୍ମିତ କରିଥିବା ଉସ୍ତାଦ୍ ରାସିଦ ଖାନଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ପୁରସ୍କୃତ ମଧ୍ୟ କରାଯାଇଛି। ସେ ଅନେକ ବଙ୍ଗଳା ଗୀତ ମଧ୍ୟ କରିଛନ୍ତି।
Share
Read more