ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଗତ ଶନିବାର (ମେ’ ୨୫ ତାରିଖ) ଭୋଟ୍ ଦେବାକୁ ଯାଇଥିବା ବେଳେ ବୁଥ୍ରେ ଗଣ୍ଡଗୋଳ ତଥା ଇଭିଏମ୍ ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ଅସୁସ୍ଥ ଥିବାରୁ ଏବେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଜଗଦ୍ଦେବଙ୍କର ରକ୍ତଚାପ ଓ ସୁଗାର ସ୍ତର ବଢ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୨୯ ତାରିଖ ଭୋର ୪ଟା ବେଳେ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ମେ’ ୨୫ ତାରିଖ ଅପରାହ୍ନରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ଅଟକ ରଖିଥିଲା । ପରେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଇପିସିର ୧୧ଟି ଧାରା ଓ ଜନପ୍ରତିନିଧି ଆଇନର ୫ଟି ଧାରାରେ ଶ୍ରୀ ଜଗଦ୍ଦେବ ଓ ତାଙ୍କର ୪-୫ଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।