ଜଟଣୀ:( ରାଜେନ୍ଦ୍ର ପ୍ରସାଦ ନାୟକ) ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଜଟଣୀ ଥାନାଧିକାରୀ ଷ୍ଟାଲୀନ କୁମାର ବିଶ୍ବାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଜଟଣୀ ଥାନାର ଏକ ସ୍ପେଶାଲ ଟିମ୍ ନୂଆଗାଁ ଗାନ୍ଧିନଗର ସ୍ଥିତ ରୀନା ନାୟକଙ୍କ ଘର ନିକଟରେ ଅତର୍କିତ ଚଢଉ କରିବା ସହ ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଅଭିଯୁକ୍ତ ରୀନା ନାୟକ, ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାହାକ, ଏବଂ ଅଭିଯୁକ୍ତ ଏସକେ. ମୁଦ୍ଦିନ ନାମକ ତିନିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ।ଛାନଭିନ ସମୟରେ ପୁଲିସ ଟିମ ଅଭିଯୁକ୍ତ ରୀନା ନାୟକଙ୍କ ହେପାଜତରୁ ମୋଟ ୧୦ ଗ୍ରାମ, ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାହାକଙ୍କ ହେପାଜତରୁ ମୋଟ ୧୦ ଗ୍ରାମ ଏବଂ ଅଭିଯୁକ୍ତ ଏସକେ. ମୁଦ୍ଦିନଙ୍କ ହେପାଜତରୁ ମୋଟ ୮ ଗ୍ରାମ, ସମୁଦାୟ ୨୮ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିଲେ। ପଚରାଉଚରା ବେଳେ, ଅଭିଯୁକ୍ତ ମାନେ ଏହି ବ୍ରାଉନ ସୁଗାର ବ୍ୟବସାୟ ଗତ କିଛିଦିନ ହେବ ନିୟମିତ ଭାବେ କରିଆସୁଥିବା ବେଳେ, ଖୋର୍ଦ୍ଧା ଓ ନୟାଗଡ ଅଞ୍ଚଳରୁ ସଂଗ୍ରହ କରି ଆଣି ଜଟଣୀ ଅଞ୍ଚଳରେ ବିକ୍ରୟ କରୁଥିବା ପ୍ରକାଶ କରିଥିଲେ।ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।