Saturday, June 6, 2026
32 C
Brahmapur

ବିଶ୍ୱ ପରିବେଶ ଦିବସ ଅବସରରେ ଆଇଆଇଟି ଭୁବନେଶ୍ୱରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Share

ଭୁବନେଶ୍ୱର, ୫ ଜୁନ୍ ୨୦୨୬: (ରାଜେନ୍ଦ୍ର ପ୍ରସାଦ ନାୟକ) ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଟି) ଭୁବନେଶ୍ୱର ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଯାଇଛି। ଚଳିତ ବର୍ଷର ଶୀର୍ଷକ ‘ପ୍ରକୃତି ଦ୍ୱାରା ଅନୁପ୍ରାଣିତ: ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ’ ଅନୁଯାୟୀ ଅନୁଷ୍ଠାନ କ୍ୟାମ୍ପସ୍ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରାୟ ୧୦୦ଟି ଛାୟା ପ୍ରଦାନକାରୀ, ଫଳ ଏବଂ ଫୁଲ ଗଛ ଲଗାଯାଇଥିଲା।
ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଏହି ରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ବିଜୟ ଶଙ୍କର ପାସୁପୁରେଡି, ଡିନ୍ ପ୍ରାୟୋଜିତ ଗବେଷଣା ଓ ଶିଳ୍ପ ପରାମର୍ଶ; ପ୍ରଫେସର ଶରତ କୁମାର ପଣ୍ଡା, ଅଧ୍ୟକ୍ଷ ଭିତ୍ତିଭୂମି; ଡକ୍ଟର ନରସା ରେଡ୍ଡୀ ଟୁମ୍ମୁରୁ, ସହ-ଅଧ୍ୟକ୍ଷ ଭିତ୍ତିଭୂମି; ବାମଦେବ ଆଚାର୍ଯ୍ୟ, ରେଜିଷ୍ଟ୍ରାର; ଡକ୍ଟର ଶିବୈୟା ବାଥୁଲା, ଏନଏସଏସ ସଂଯୋଜକ; କେ. ରବିନ କୁମାର ଡୋରା, ଅଧୀକ୍ଷଣ ଇଞ୍ଜିନିୟର; ଶ୍ରୁତି କରମଲକର, ସଭାପତି ଆବାସିକ କ୍ଲବଙ୍କ ସମେତ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ, ଏନଏସଏସ ସ୍ୱେଚ୍ଛାସେବୀ ଏବଂ କ୍ୟାମ୍ପସର ବାସିନ୍ଦାମାନେ ସକ୍ରିୟ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ। ପ୍ରତିଷ୍ଠାନର ଉଦ୍ୟାନବିତ୍ କାମିରେଡ୍ଡି ବିଶ୍ୱେଶ୍ୱର ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୯୩୬ ଏକର ଅଞ୍ଚଳରେ ପରିବ୍ୟାପ୍ତ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ୫୦,୦୦୦ରୁ ଅଧିକ ଚିର ସବୁଜ, ଫଳ ଓ ଫୁଲ ଗଛ ରହିଛି। କ୍ୟାମ୍ପସକୁ ପରିଷ୍କାର ଓ ସବୁଜ ରଖିବା ପାଇଁ ଅନୁଷ୍ଠାନ ଏକକ ବ୍ୟବହାର ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ନିଷେଧ କରିଛି। ଏଥିସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ସାଇକେଲ ସଂସ୍କୃତି’କୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ଏହା ସ୍ୱାସ୍ଥ୍ୟ ଓ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି କରିବା ସହ ପ୍ରକୃତି ପ୍ରତି ସମ୍ବେଦନଶୀଳତା ମଧ୍ୟ ବଢାଉଛି।
ଆଇଆଇଟି ଭୁବନେଶ୍ୱର ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ ପ୍ରତିବଦ୍ଧ ରହିବା ସହ ଶିକ୍ଷା ଓ ବୁଦ୍ଧିର କେନ୍ଦ୍ର ଭାବେ ଭିତ୍ତିଭୂମି ବିକାଶ ଜାରି ରଖିଛି।

Read more

Local News