ଭୁବନେଶ୍ୱର, ୫ ଜୁନ୍ ( ରାଜେନ୍ଦ୍ର ପ୍ରସାଦ ନାୟକ) ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତା ଦର୍ଶାଇ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବ୍ୟାପକ ଭାବେ ପାଳନ କରାଯାଇଛି। କଲ୍ୟାଣୀ ମଣ୍ଡପ ପରିସରରେ ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନିଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ପି. କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ରାଜଧାରୀ ଯାଦବଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ବୃକ୍ଷରୋପଣ କରିଥିଲେ।
ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍କାଉଟ୍ସ ଓ ଗାଇଡ୍ସ ପିଲାମାନଙ୍କୁ ନେଇ ଏକ ବିଶେଷ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯାତ୍ରୀ ଓ ଷ୍ଟେସନ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରିବାକୁ ଅନୁରୋଧ କରାଯାଇଥିଲା। ମଣ୍ଡଳ ରେଳ ପ୍ରବନ୍ଧ ଡି. ସୁନିଲ ଓ ଅନ୍ୟ ଅଧିକାରୀମାନେ ନିଜେ ଝୋଟ ବ୍ୟାଗ୍ ବଣ୍ଟନ କରି ପରିବେଶ-ଅନୁକୂଳ ବିକଳ୍ପ ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ।
ଏହି ଅବସରରେ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚଳିତ ବର୍ଷର ପରିବେଶ ଦିବସ ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜୟୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ୧୫.୦୫.୨୦୨୬ ତାରିଖରୁ “ବିଶ୍ୱ ପରିବେଶ ଦିବସ ଅଭିଯାନ” ଆରମ୍ଭ କରିସାରିଛି। ଏହି ଅଧୀନରେ ମଣ୍ଡଳର ସମସ୍ତ ପ୍ରମୁଖ ଷ୍ଟେସନରେ ସଚେତନତା ବ୍ୟାନର ପ୍ରଦର୍ଶନ, ବ୍ୟାପକ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ପ୍ରଦୂଷଣ ହ୍ରାସ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜାରି ରହିଛି। ସମଗ୍ର ଆୟୋଜନ ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ପ୍ରବନ୍ଧକ ଇଂ ସମ୍ବିତ ମହାପାତ୍ରଙ୍କ ମାର୍ଗଦର୍ଶନରେ ଯାନ୍ତ୍ରିକ ବିଭାଗର ପରିବେଶ ଏବଂ ସ୍ୱଚ୍ଛତା ପରିଚାଳନା ଶାଖା ଦ୍ୱାରା ସମନ୍ୱିତ ହୋଇଥିଲା।
Share
Read more