ଜଟଣୀ, ୨୫/୦୭ (ରାଜେନ୍ଦ୍ର ପ୍ରସାଦ ନାୟକ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ପୁଣି ଏକ ସଙ୍ଗୀନ ଅପରାଧିକ ଘଟଣା ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଜଣେ ୭୫ ବର୍ଷୀୟା ବୃଦ୍ଧା ମହିଳାଙ୍କୁ ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଉପରବସ୍ତ ଗ୍ରାମର ଶାନ୍ତିଲତା ପ୍ରଧାନ (୭୫)।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ସମୟରେ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ଦେଶ୍ୟରେ ଶାନ୍ତିଲତାଙ୍କ ଘରେ ପଶିଥିଲେ। ଏହି ସମୟରେ ବୃଦ୍ଧା ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଆଜି ସକାଳେ ପରିବାର ଲୋକେ ବୃଦ୍ଧାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ତୁରନ୍ତ ଜଟଣୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇଛି।ଏହି ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ କୁକୁରକୁ ଘଟଣାସ୍ଥଳକୁ ଡକାଯାଇ ତଦନ୍ତ ଜାରି ରଖାଯାଇଛି। ଏହି ନୃଶଂସ ହତ୍ୟାକାଣ୍ଡ ପରେ ଉପରବସ୍ତ ଗ୍ରାମରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।