ଜଟଣୀରେ ବାହୁଡ଼ାଯାତ୍ରା

Share

ଜଟଣୀ, (ରାଜେନ୍ଦ୍ର ପ୍ରସାଦ ନାୟକ ) ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଆଡ଼ମ୍ବରରେ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି। ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଜଟଣୀ ଅନ୍ତର୍ଗତ ଜାମୁକୋଳି ପଞ୍ଚାୟତ ପାଞ୍ଚଗାଁ ଲବଣଗିରି ପାହାଡ଼ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ସକାଳ ଧୂପ, ସୂର୍ଯ୍ୟପୂଜା ଆଦି ସମାପନ କରାଯିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ ଓ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିରାଜମାନ ହୋଇ ପାଞ୍ଚଗାଁ ମଙ୍ଗଳା ମନ୍ଦିରରୁ ବାହାରି ପ୍ରଧାନ ସାହିରେ ରାତ୍ରି ରହଣି କରିଥିଲେ। ସେଠାରେ ରାତିରେ ପୂଜାର୍ଚ୍ଚନା ଓ ଭୋଗରାଗ ହେବା ପରେ ଆସନ୍ତାକାଲି ସକାଳୁ ପୋଡ଼ପିଠା ଭୋଗ ଲାଗି ହେବା ପରେ ମହାପ୍ରଭୁ ଲବଣଗିରି ପାହାଡ଼ ଉପରେ ଥିବା ମୂଳ ମନ୍ଦିରକୁ ବାହୁଡ଼ିବେ। ଓଡ଼ିଶାରେ ପାହାଡ଼ ଉପରକୁ ରଥ ଯାଉଥିବା ଏହା ପ୍ରଥମ ଦୃଶ୍ୟ ହୋଇଥିବାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ଏୟାରଫିଲ୍ଡ ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେହିପରି ଜଟଣୀ ଅଞ୍ଚଳର ଖୁଦୁପୁର, ବାଛରାପାଟଣା, କୁଦିଆରୀ ଓ କୁସୁମାଟି ଆଦି ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି। ଏଥିପାଇଁ ଜଟଣୀ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।

Read more

Local News