ଜଟଣୀ, ୧୦/୯ (ରାଜେନ୍ଦ୍ର ପ୍ରସାଦ ନାୟକ) – ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ଲେଫ୍ଟନାଣ୍ଟ ଦେବୀଦତ୍ତ ଦାସ। ଚେନ୍ନାଇସ୍ଥିତ ପ୍ରତିଷ୍ଠିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ କଠୋର ସାମରିକ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରି ସେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବେ କମିଶନ ପାଇଛନ୍ତି। ଗତ ସେପ୍ଟେମ୍ବର ୫ ତାରିଖ ୨୦୨୬ରେ ଓଟିଏ, ଚେନ୍ନାଇଠାରେ ଅନୁଷ୍ଠିତ ପାସିଂ ଆଉଟ୍ ପରେଡ୍ ଅବସରରେ ସେ ସେନାରେ କମିଶନ ଲାଭ କରିଛନ୍ତି। ଲେଫ୍ଟନାଣ୍ଟ ଦାସଙ୍କ ଏହି ଯାତ୍ରା ମେଧା ଓ ଅଧ୍ୟବସାୟର ଏକ ଉଜ୍ଜ୍ୱଳ ଉଦାହରଣ। ସେ ଅତ୍ୟନ୍ତ ପ୍ରତିଯୋଗିତା ମୂଳକ ଏନସିସି ସ୍ପେଶାଲ ଏଣ୍ଟ୍ରି ଯୋଜନା – ୨୦୨୫ ମାଧ୍ୟମରେ ଓଟିଏରେ ଯୋଗ ଦେଇଥିଲେ। ସର୍ଭିସେସ ସିଲେକ୍ସନ ବୋର୍ଡ (ଏସଏସବି) ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ ସ୍ତରରେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ। ସଶସ୍ତ୍ର ବାହିନୀରେ ଯୋଗଦେବା ପୂର୍ବରୁ ଲେଫ୍ଟନାଣ୍ଟ ଦାସ ଏକ ଦୃଢ଼ ଶୈକ୍ଷିକ ଭିତ୍ତିଭୂମି ଗଠନ କରିଥିଲେ। ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ମୌଳିକ ବିଜ୍ଞାନ ଓ ମାନବିକ ବିଜ୍ଞାନ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଜଣେ ବିଜ୍ଞାନ ସ୍ନାତକରୁ ଭାରତୀୟ ସେନାର କମିଶନପ୍ରାପ୍ତ ଅଧିକାରୀ ହେବା ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଓଡ଼ିଶାର ଯୁବପିଢ଼ି ପାଇଁ ଏକ ସଶକ୍ତ ପ୍ରେରଣାର ଉତ୍ସ ପାଲଟିଛି। ତାଙ୍କର ଏହି ସଫଳତାରେ ପରିବାର ବର୍ଗ ଓ ଜଟଣୀ ଅଞ୍ଚଳବାସୀ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି ଏବଂ ଏହା ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି।