ଆସନ୍ତା ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପ କାମ ସରିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଏହା ସହ ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିରାଟ ରୋଡ୍ ସୋ’ରେ ଯାଇ କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଯିବ ଓ ପରେ ନେତାଜୀ ବସ୍ ଟର୍ମିନାଲ୍ ଯାଏଁ ଏହାକୁ ସମ୍ପ୍ରସାରଣ କରାଯିବ। ଆସନ୍ତା ୪ ବର୍ଷ ଭିତରେ ଏହି ମେଟ୍ରୋ ପ୍ରକଳ୍ପ କାମ ସରିବ ଓ ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ଶୋ’ କରିଥିଲେ। ଭୁବନେଶ୍ୱର ବିମାନ ବନ୍ଦର ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ରୋଡ୍ ଶୋରେ ରତାଗଡ ପହଞ୍ଚିଥିଲେ । ସୂଚନା ଅନୁସାରେ ନିଜସ୍ୱ ପାଣ୍ଠିରେ ଭୁବନେଶ୍ୱର ମେଟ୍ରୋ ରେଳ କରୁଛନ୍ତି ରାଜ୍ୟ ସରକାର। ଏହି ପ୍ରକଳ୍ପ ପାଇଁ ୬୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନରୁ ଜଣାପଡିଛି । ଭୁବନେଶ୍ୱରରୁ ବିମାନ ବନ୍ଦର, କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ପଟିଆ ଦେଇ ୨୦ରୁ ଅଧିକ ଷ୍ଟେସନ ନିର୍ମାଣ ହେବ । ୨୬ କିଲୋମିଟର ଭିତରେ ୨୦ଟି ଷ୍ଟେସନ୍ ହେବ । ତ୍ରିଶୁଳିଆ ପରେ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ମେଟ୍ରୋ ଗଡ଼ିବା ନେଇ ସରକାର ସୂଚନା ଦେଇଛନ୍ତି। ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।