ଆଜି ବଲାଙ୍ଗୀର ଜିଲାରେ ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ୫୨୮୪ କିମି ଦୀର୍ଘ ଜଳସେଚନ ବ୍ୟବସ୍ଥା ସହ ୧ ଲକ୍ଷ ଏକର ଜମି ସେଚାଞ୍ଚଳ ହେବ । ସୁବର୍ଣ୍ଣପୁର ସମେତ ବଲାଙ୍ଗୀର ଜିଲ୍ଲାର ୨୦୦ରୁ ଅଧିକ ଗ୍ରାମର କୃଷକଙ୍କ ପାଇଁ ଜଳସେଚନ ସୁବିଧା ହେଇପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବଲାଙ୍ଗୀରର ଚାଷୀମାନଙ୍କର ଜଳ କଷ୍ଟ ଦୂର ହେବ । ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ । ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ । ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ । ଏହାର ଉଚ୍ଚତା ୩୧ ମିଟର, ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ’ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ । ୮୦ହଜାର ରୁ ଅଧିକ ଚାଷୀ ଉପକାର ପାଇବେ । ଜିଲ୍ଲାର ୭୦ହଜାରରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ | ୨୦୧୯ ମସିହାରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ଟେକ୍ନୋଲୋଜିର ବ୍ୟବହାର କରାଯାଇ ପ୍ରେସର ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ । ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି । ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ । ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି ଏବଂ ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ ସ୍କଲାରସିପ (scholarship) ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି । ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି । ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି । ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ । ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା । ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ପର୍ଯ୍ୟଟନର ଉନ୍ନତି, ଯୋଗାଯୋଗ ଉନ୍ନତି, କ୍ରୀଡାର ଉନ୍ନତି ସହିତ ହେରିଟିଜର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର, ଲୋଇସିଂଘା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ନିଜର ଅଭିଭାଷଣ ରଖିଥିଲେ ।