ଉଦ୍ଘାଟିତ ହେଲା ବଲାଙ୍ଗିରର ବହୁ ଚର୍ଚ୍ଚିତ ଲୋୟର ସୁକତେଲ ପ୍ରକଳ୍ପ ଓ ଶେଷ ହେଲା ୨୩ ବର୍ଷର ପ୍ରତୀକ୍ଷା। ସ୍ଥାନୀୟ ସାଂସଦ, ବିଧାୟକ ଓ ମନ୍ତ୍ରୀଗଣଙ୍କ ଉପସ୍ଥିତିରେ ବଲାଙ୍ଗିର ସଦର ବ୍ଲକ୍ ମାଗୁରବେଡା ନିକଟରେ ଏଇ ବୃହତ୍ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ସମ୍ବୋଧନରେ କହିଲେ ଲୋୟର ସୁକତେଲ ପ୍ରକଳ୍ପ ବଲାଙ୍ଗିରର କୃଷି ଓ ଜଳସେଚନ କ୍ଷେତ୍ରରେ ରୂପାନ୍ତର ଆଣିବ। ଏହାଦ୍ୱାର ଦୁଇ ଜିଲ୍ଲା ବଲାଙ୍ଗିର ଓ ସୋନପୁରର ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବା ସହ ୭୦ ହଜାରରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିବ।ବଲାଙ୍ଗିର ଓ ସୋନପୁରବାସୀଙ୍କୁ ଜଳକଷ୍ଟରୁ ମୁକ୍ତି ଦେବା ଲାଗି ନବୀନ ସରକାରର ପ୍ରଥମ ପାଳିରେ ଅର୍ଥାତ୍ ୨୦୦୧ ମସିହାରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ବହୁ ବାଦ-ବିବାଦ, ବିରୋଧ-ଆନ୍ଦୋଳନ ପାଇଁ ପ୍ରକଳ୍ପ କାମ ସରିବାକୁ ଲାଗିଗଲା ୨୩ ବର୍ଷ । ହେଲେ ବିରୋଧୀଙ୍କ ଅଭିଯୋଗ ଏବେ ବି କାମ ସଂପୂର୍ଣ୍ଣ ହୋଇନି । କେବଳ ଡ୍ୟାମ କାମ ସରିଥିଲେ ବି ଜଳସେଚନ ପାଇଁ ଭୂତଳ ପାଇପ୍ ପୋତା କାମ ଅଧା ବି ସରିନି ।ତେଣୁ ଏଭଳି ସ୍ଥିତିରେ ନିର୍ବାଚନକୁ ଦେଖି ତରବରିଆ ଭାବେ ଉଦ୍ଘାଟନ କାମକୁ ନାପସନ୍ଦ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ସରକାରଙ୍କୁ ଧୋଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପୂର୍ବରୁ ଉଦ୍ଘାଟନ ମାନେ ସୁଇଚ୍ ଟିପିଲେ ଖଳ ଖଳ ପାଣି ବାହାରିବା କଥା, ଆଜି ସୁଇଚ୍ ଟିପିଲେ ଯଦି ପାଣି ନବାହାରେ ତାହେଲେ ଲୋକ କଳା ବୋଳିବେ ବୋଲି କହିବାକୁ ବି ପଛେଇ ନଥିଲେ ନରସିଂହ।ଯାହାର ସେଇ ସଭାମଞ୍ଚରୁ କାଉଣ୍ଟର ବି କରି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଖ କେମିତି ଖଳଖଳ ପାଣି ବାହାରୁଛି ବୋଲି କହିଥିଲେ । ତେବେ ପରେ ଜଳ ସଂପଦ ମନ୍ତ୍ରୀ ଟୁକନି ସାହୁ କହିଛନ୍ତି ଆଜି ଡ୍ୟାମର ଉଦ୍ଘାଟନ କରାଯାଇଛି ଆଗକୁ ପର୍ଯ୍ୟାୟକ୍ରମେ ବାକି କାମ ସଂପୂର୍ଣ୍ଣ ହେବ।ଦୀର୍ଘ ବର୍ଷ ପରେ ପ୍ରକଳ୍ପ ଉଦ୍ଘାଟନକୁ ନେଇ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ହେଲେ ଏବେ ବି କ୍ଷତିପୂରଣ ଓ ଥଇଥାନ ସମସ୍ୟା ସହ ଜୁଝୁଛନ୍ତି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ୨୯ଟି ଗାଁ ଲୋକ। ତେବେ ଏତେ ଦିନ ପରେ ବି ଅସଂପୂର୍ଣ୍ଣ ପ୍ରକଳ୍ପର ତରବରିଆ ଉଦ୍ଘାଟନକୁ ନେଇ ସଭାମଞ୍ଚରୁ ବିରୋଧ ବେଳେ ପ୍ରକଳ୍ପଟି କେବେ ସମ୍ପୂର୍ଣ ହେବ ତା ଉପରେ ନଜର।