ଓଭରବ୍ରିଜ୍ ଉପରେ ହୁତୁହୁତୁ ହୋଇ ଜଳିଗଲା ତେଲ ଟ୍ୟାଙ୍କର । ନିଆଁ ଲଗିଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ, ଘଟଣାସ୍ଥଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା । ଏମିତିକି ଓଭରବ୍ରିଜ୍ ତଳେ ଗାଡ଼ିଗୁଡ଼ିକ ଜାମ ହୋଇଥିଲା । କାରଣ ଅନ୍ୟ ଗାଡ଼ିଗୁଡ଼ିକୁ ନିଆଁ ବ୍ୟାପିବାର ସମ୍ଭାବନା ଥିଲା । ଘଟଣାସ୍ଥଳରେ ଟ୍ରାଫିକ୍ ପୋଲିସ ଉପସ୍ଥିତ ରହି ଗାଡ଼ି ଗୁଡ଼ିକୁ ଅଟକାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ମୃତାହତଙ୍କ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁସାରେ ଏପରି ଏକ ଖବର ଲୁଧିଆନାରୁ ସାମ୍ନାକୁ ଆସିଛି । ଗୋଟିଏ ତେଲ ଟ୍ୟାଙ୍କର ପଞ୍ଜାବର ଲୁଧିଆନାରେ ଥିବା ଖାନ୍ନା ଅଞ୍ଚଳର ଏକ ଓଭର ବ୍ରିଜ୍ ଉପରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ୟାଙ୍କର ଟି ଓଭରବ୍ରିଜ୍ ଉପରେ ଯିବା ସମୟରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା । ପରେ ପରେ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେଥିଲା ଯେ, ଟ୍ୟାଙ୍କର ନିକଟକୁ ଯିବା ସମ୍ଭବପର ନଥିଲା । ତାହା ସହ ବହୁ ମାତ୍ରାରେ ଧୂଆଁ ମଧ୍ୟ ନିର୍ଗତ ହେଉଥିବା ସୂଚନା ମିଳୁଛି ।