ଜଣାନ୍ତୁ ପୋଦିନା ପତ୍ରରେ କଣ ରହିଛି ଔଷଧୀୟ ଗୁଣ…

Share

ପୋଦିନା ପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି । ପୋଦିନା ପତ୍ର ଚଟଣି କରାଯାଏ ଏବଂ ସାଲାଡ୍‌, ରାଇତା ଓ ବିରିଆନି ଆଦିରେ ମଧ୍ୟ ପକାଯାଏ । ଏହା ପକେଇବା ଦ୍ୱାରା ଖାଦ୍ୟରେ ବାସ୍ନା ଆସିବା ସହ ସ୍ୱାଦ ମଧ୍ୟ ଲାଗିଥାଏ । ଏହି ପତ୍ର ପେଟର ବିଭିନ୍ନ ସମସ୍ୟାକୁ ଠିକ୍‌ କରେ ଏବଂ ପୋଦିନା ଆଣ୍ଟିବାୟୋଟିକ୍‌ ଔଷଧର କାର୍ଯ୍ୟ ତୁଲାଇବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା ରୋଗରେ ନିୟମିତ ପୀଡ଼ିତ ହେଉଥିଲେ ପୋଦିନା ରସରେ ଗୋଲମରିଚ ଏବଂ ବିଟ୍‌ଲୁଣ ପକାଇ ତାକୁ ଚା’ ଭଳି ଫୁଟାଇ ପିଇବା ଦ୍ୱାରା ଏହି ରୋଗରୁ ଆରୋଗ୍ୟ ମିଳିଥାଏ । ଯଦି ବାରମ୍ବାର ହାକୁଟି ଆସୁଥାଏ ତେବେ ଏହାର ପତ୍ରକୁ ଚୋବାଇ ଖାଇଲେ ହାକୁଟି ନିୟନ୍ତ୍ରଣକୁ ଆସିଥାଏ । ମହିଳାଙ୍କ ମାସିକଧର୍ମରେ ଅନିୟମିତତା ଦେଖାଦେଲେ ପୋଦିନାର ଶୁଖିଲାପତ୍ରକୁ ଗୁଣ୍ଡ କରି ଏହି ଗୁଣ୍ଡକୁ ଦିନକୁ ଦୁଇଥର ମହୁ ସହ ମିଶାଇ ଖାଇବା ଦ୍ବାରା ସମସ୍ୟା ଦୂର ହୋଇଥାଏ । କୌଣସି ସ୍ଥାନରେ ମାଡ଼ ହେଇ କ୍ଷତ ସୃଷ୍ଟି ହୋଇଥିଲେ ସେହି ସ୍ଥାନରେ ତାଜା ପୋଦିନା ପତ୍ରକୁ ଦଳି ତା’ର ରସ ଲଗାଇଲେ ତାହା ତୁରନ୍ତ ଶୁଖିଯାଏ । ସେହିପରି ଶରୀର କୁଣ୍ଡେଇ ହେଇ ଫଳି ଯାଉଥିଲେ କିମ୍ବା ଅନ୍ୟାନ୍ୟ ଚର୍ମରୋଗ ଥିଲେ ତାଜା ପୋଦିନା ପତ୍ରକୁ ନେଇ ତାକୁ ଭଲ ଭାବେ ଛେଚି ଦିଅନ୍ତୁ, ଏହାକୁ ପ୍ରଭାବିତ ତ୍ୱଚାରେ ଲଗାନ୍ତୁ । ପୋଦିନା ରସକୁ ମିଶାଇ ସେଥିରେ କୁଳି କରିବା ଦ୍ୱାରା ସ୍ୱରରେ ସ୍ୱଚ୍ଛତା ଆସେ । ଗଳା ବସିଥିଲେ ତାହା ସାଧାରଣ ଅବସ୍ଥାକୁ ଫେରିଆସେ । ତ୍ୱଚା ଯଦି ତେଲିଆ ହୋଇଥାଏ ତେବେ ପୋଦିନାରୁ ପ୍ରସ୍ତୁତ ଫେସିଆଲ୍‌ ଲଗାଇଲେ ଭଲ । ଭଲ ଭାବେ ପେଷା ଯାଇଥିବା ଦୁଇ ବଡ଼ ଚାମଚ ପୋଦିନା ପତ୍ର ଦୁଇ ଚାମଚ ଦହି ଏବଂ ଗୋଟେ ବଡ଼ ଚାମଚ ଓଟ୍‌ମିଲ୍‌-ଏସବୁକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ନିଜ ଶରୀରରେ ଲଗାନ୍ତୁ । ପନ୍ଦର ମିନିଟ୍‌ ଛାଡ଼ି ଦିଅନ୍ତୁ । ଏହାପରେ ତାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଅତିକମ୍‌ରେ ଦୁଇଥର ଏପରି କରିବା ଦ୍ୱାରା ତେଲିଆ ତ୍ୱଚାର ସାଧାରଣ ଅବସ୍ଥାକୁ ଫେରିପାଇବା ସହ ତ୍ୱଚା ସୁସ୍ଥ ଓ ସୁନ୍ଦର ରହିଥାଏ ।

Read more

Local News