ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ପୁରୀ ଯାଉଥିବା ଏହି ଟ୍ରେନର ଆଜି ଶୁଭାରମ୍ଭ କରିଛନ୍ତି ଓ ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନର ମଧ୍ୟ ଉଦଘାଟନ କରିଛନ୍ତି ବୈଷ୍ଣବ। ଟ୍ରେନ୍ ଚାଲିବା ନେଇ ଦଶପଲ୍ଲାବାସୀ ବାଜା ବଜାଇ ସେଲିବ୍ରେସନ କରିଛନ୍ତି। ଦଶପଲ୍ଲାରୁ ଟ୍ରେନ୍ ଆରମ୍ଭ ସମୟରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ରେଳପଥ ଖୁବ୍ ଶୀଘ୍ର ବଲାଙ୍ଗିର ଛୁଇଁବ। କୌଣସି ବାଧା ଅଟକାଇ ପାରିବନି। ମାଟି ପାଇଁ କାମ କରିବା ବେଳେ ରାଜନୀତି କରିବାନି ବୋଲି କହିଛନ୍ତି ରେଳମନ୍ତ୍ରୀ। ୨୮୯ କିଲୋମିଟର ଦୀର୍ଘ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେଲେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ସଂଯୋଗ କରିବ। ଆଜିଠାରୁ ଦଶପଲ୍ଲାରୁ ଖୋର୍ଦ୍ଧାରୁ ୧୦୬ କିଲୋମିଟର ପର୍ଯ୍ୟନ୍ତ ଟ୍ରେନ ଚାଲିଛି ଓ ଏହା ପୂର୍ବରୁ ଖୋର୍ଦ୍ଧା ପଟୁ ନୂଆଗାଁ ଯାଏ ରେଳ ଚାଲିଥିଲା। ଅନ୍ୟପକ୍ଷରେ ବଲାଙ୍ଗିର ପଟୁ ୫୦ କିଲୋମିଟର ଦୂର ବିଛୁ ପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରୁଛି। ସୋନପୁର ଯାଏଁ କାମ ସରିଛି। ଆଉ ବାକି ରହିଛି ପ୍ରାୟ ୧୩୩ କିଲୋମିଟର କାମ। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବଲାଙ୍ଗିର ପଟରୁ ବୌଦ୍ଧ ଜିଲ୍ଲା ପୁରୁଣା କଟକ ପର୍ଯ୍ୟନ୍ତ ଟ୍ରେନ ଚଳାଚଳର ଲକ୍ଷ୍ୟ ରଖାଯାଇଛି। ସ୍ୱାଧୀନତା ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ପରିକଳ୍ପନା ହୋଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ୧୯୯୪-୯୫ରେ ମଂଜୁରି ମିଳିଥିଲା । ଜମି ଅଧିଗ୍ରହଣ ସହିତ ଅନ୍ୟ ସମସ୍ୟା ପାଇଁ ଧୀର ମନ୍ଥର ଗତିରେ କାମ ଚାଲିଥିଲା। ଫଟାଫଟ୍ କାମ ଚାଲିଥିବା ବେଳେ ମଂଜୁର ହୋଇଛି ଅଧିକ ଅର୍ଥ। ରେଳପଥ ସଂପୂର୍ଣ୍ଣ ହେଲେ ଏହା ବିକାଶର ନୂଆ କାହାଣୀ କହିବ। ୫ଟି ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିରକୁ ସଂଯୋଗ କରିବ ଏହି ରୁଟ୍।
