ଲକ୍ଷ୍ନୌ:ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ନିମନ୍ତ୍ରଣ ପତ୍ର ବଣ୍ଟନ ମଧ୍ୟ କରାଯାଉଛି ।ଲୋକମାନେ ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ କିଛି ନେତା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ରାଜନୀତି ଜୋର ସୋର ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବର୍ତ୍ତମାନ ପର୍ଯ୍ୟନ୍ତ କହୁଥିଲେ ଯେ ତାଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ନିମନ୍ତ୍ରଣ ମିଳିନାହିଁ। କିନ୍ତୁ ଆଜି ତାଙ୍କୁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ହେଲେ ସେ ନିମନ୍ତ୍ରଣକୁ ଗ୍ରହଣ କରିନଥିବା ସୂଚନା ମିଳିଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆଲୋକ କୁମାର, ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିଲେ। ହେଲେ ଅଖିଳେଶ ନିମନ୍ତ୍ରଣ ପତ୍ର ଗ୍ରହଣ ନକରି କହିଛନ୍ତି “ମୁଁ ତାଙ୍କୁ ଜାଣି ନାହିଁ ଓ ଯେଉଁମାନଙ୍କୁ ମୁଁ ଜାଣି ନାହିଁ ସେମାନଙ୍କୁ ମୁଁ ନିମନ୍ତ୍ରଣ କରେ ନାହିଁ କି ସେମାନଙ୍କଠାରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରେ ନାହିଁ।” ଏହା ଉପରେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ଆଲୋକ କୁମାର କହିଛନ୍ତି “ପୂର୍ବରୁ ଅଖିଳେଶ କହୁଥିଲେ ଯେ ଯଦି ଡାକିଲେ ଆମେ ଯିବୁ। ତେଣୁ ଆମେ ତାଙ୍କୁ ଡାକରା ଦେଲୁ। ବର୍ତ୍ତମାନ କହୁଛନ୍ତି ରାମଜୀ ଡାକିଲେ ଆମେ ଯିବୁ। ଏବେ ଦେଖିବା ରାମଜୀ ନିଜେ ତାଙ୍କୁ ଡାକୁଛନ୍ତି ନା ନାହିଁ। ଯଦି ନଡାକିବେ ତେବେ ପ୍ରଭୁ ତାଙ୍କୁ ଡାକିବାକୁ ଚାହୁନଥିବା ସ୍ପଷ୍ଟ ହେବ”ବୋଲି କହିଥିବା ସୂଚନା ମିଳିଛି।