ପୁରୀ : ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଜଣେ ଭକ୍ତ ବ୍ୟାରିକେଡ୍ ଭିତରେ ଝାଡ଼ା କରିଦେଲେ । ବଡ଼ଦାଣ୍ଡରେ ବଢୁଛି ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା । ଭକ୍ତଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଥିବା ନେଇ ପ୍ରଶାସନର ବାହାସ୍ପୋଟ ସତ୍ତ୍ୱେ ଆଜି ବ୍ୟାରିକେଡ୍ ଭିତରେ ଜଣେ ଭକ୍ତ ଝାଡ଼ା କରିଦେବା ଭଳି ସ୍ଥିତି ଉପୁଜିଛି । ବାରମ୍ବାର ଦାବି ସତ୍ତ୍ୱେ ସିଂହଦ୍ୱାର ସାମ୍ନାରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଭକ୍ତ ଓ ସେବାୟତଙ୍କ ଅଭିଯୋଗ । ସେପଟେ ପ୍ରଶାସନର କହିବା କଥା ନୂଆ ବର୍ଷ ଆରମ୍ଭରୁ ସବୁ କିଛି ଠିକ୍ ହେଇଯିବ । ଜାନୁଆରୀ ୧୭ ତାରିଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଏଥିପାଇଁ ସୌନ୍ଦର୍ଯ୍ୟକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ଦେବ ନିମନ୍ତ୍ରଣ ପର୍ବ ବି ଆରମ୍ଭ ହୋଇଯାଇଛି । ହେଲେ ସାଧାରଣ ଭକ୍ତଙ୍କ ଏ ଯନ୍ତ୍ରଣା ଯେମିତି କାହା ଆଖିରେ ପଡୁନି ।ଭକ୍ତଙ୍କ ସୁବିଧା ପାଇଁ ସବୁ କରାଯାଇଥିବାର ବାହାସ୍ପୋଟବାଜି ହେଉଛି, ହେଲେ ସର୍ବନିମ୍ନ ସୁବିଧା, ସିଂହଦ୍ୱାର ସାମ୍ନାରେ ଗୋଟିଏ ହେଲେ ଶୌଚାଳୟ ନାହିଁ । ପୂର୍ବରୁ ଯେଉଁ ଗୋଟିକ ଥିଲା ତାହା ବନ୍ଦ କରିଦିଆଯାଇଛି । ଓଟିଭିରେ ବାରମ୍ବାର ଖବର ପ୍ରସାରଣ ପରେ ୪ଟି ଅସ୍ଥାୟୀ ଟଏଲେଟ ତ ହୋଇଛି, ତାହା ପୁଣି ସିଂହଦ୍ୱାର ଠାରୁ ଅନେକ ଦୂରରେ ବୋଲି ଅଭିଯୋଗ କରିଛନ୍ତି ଭକ୍ତ ଓ ସେବାୟତ । ସବୁଠୁ ବଡ଼ କଥା ହେଲା ଅସୁସ୍ଥ ହୋଇ ଜଣେ ଭକ୍ତ ଧାଡ଼ିରେ ଥାଇ ଝାଡ଼ା କରିବା ପରେ, ସେଠି ବ୍ୟବସ୍ଥା ଏମିତି ବ୍ଲିଚିଂ କି ଫିନାଇଲ ବଦଳରେ ବାଲି ପକାଯିବା ଦେଖିବାକୁ ମିଳିଥିଲା । ବ୍ୟାରିକେଡ୍ ଭିତରେ ଦୀର୍ଘ ସମୟ ଧରି ଠିଆ ହେବା ପରେ ଅଚେତ ହୋଇ ପଡୁଛନ୍ତି ଭକ୍ତ । ଧାଡ଼ିରେ ଥିବା ଛୋଟ ଛୁଆ ଓ ବରିଷ୍ଠ ନାଗରିକଙ୍କ କଥା କହିବାକୁ ଗଲେ ଲାଜର ବିଷୟ । ସାଧାରଣ ଭକ୍ତ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡିରେ ଠିଆ ହେଉଥିବା ବେଳେ ଗଳାବାଟେ ଭିଆଇପିଙ୍କୁ ଛଡାଯିବା ଅତି ନିନ୍ଦନୀୟ ଏହାକୁ ନେଇ ପୁଣି ବିରୋଧ କରିଛନ୍ତି ଭକ୍ତ । ଏପଟେ ପ୍ରଶାସନର କହିବା କଥା ନୂଆବର୍ଷରୁ ସବୁ କିଛି ଠିକ୍ ଠାକ୍ ହେଇଯିବ । ସୂଚନା ମିଳିଛି କି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂହ ପରିକ୍ରମା ପ୍ରକଳ୍ପ କାମ ତଦାରଖରେ ଆସି କହିଛନ୍ତି ନୂଆବର୍ଷରୁ ଏବେ ରହି ଥିବା ବ୍ୟାରିକେଡକୁ ହଟାଯିବ । ଏସି ସେଡ୍ ଦେଇ ଭକ୍ତ ଦର୍ଶନ ପାଇଁ ଯିବେ, ଆଉ କେହି ଧାଡ଼ିରେ ଠିଆ ହେବେନି ।