ଭୁବନେଶ୍ୱର:ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା ହୋଇଥିଲା । ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଭାବେ ବିବେଚିତ ହେଉଛି। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ପ୍ରଦାନ କରାଯାଇଛି । ଏପ୍ରିଲ ୧ ତାରିଖ ୨୦୨୧ରୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମଧ୍ୟରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ପ୍ରଦର୍ଶନ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି । ଏକ ଭବ୍ୟ ସମାବେଶରେ ଦେବାଶିଷ ସାହୁଙ୍କୁ ସମ୍ମାନପତ୍ର ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଛି । ଏହି ଅବସରରେ ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉଭୟଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । କ୍ରିକେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା NCA କୋଚ ପ୍ରୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।