ବ୍ରହ୍ମପୁରର ଲକ୍ଷ୍ମୀନୃସିଂହ ସାହି ଅଞ୍ଚଳରେ କ୍ଷତିକାରକ ରାସାୟନିକ ରଙ୍ଗ ବ୍ୟବହାର କରି ଭେଜାଲ ହଳଦୀ ଓ ଲଙ୍କା ଗୁଣ୍ଡ ପ୍ରସ୍ତୁତ କରୁଥିବା ଏକ ବଡ଼ ଧରଣର ବେଆଇନ କାରଖାନାକୁ ବଡ଼ବଜାର ପୋଲିସ ଠାବ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରଚୁର ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି। ମାମଲାର ତଦନ୍ତ ଚାଲିଛି। ଅଭିଯୁକ୍ତମାନେ ସ୍ଥାନୀୟ ବଜାରରୁ କଞ୍ଚାମାଲ ଏବଂ ନିଷିଦ୍ଧ କୃତ୍ରିମ ରଙ୍ଗ ସଂଗ୍ରହ କରି ମିଲିଂ ମେସିନ୍ ସାହାଯ୍ୟରେ ସେଗୁଡ଼ିକୁ ମିଶ୍ରଣ କରୁଥିଲେ। ଏହି ଭେଜାଲ ସାମଗ୍ରୀକୁ ୩୦ କିଗ୍ରା ଓ ୫୦ କିଗ୍ରା ବିଶିଷ୍ଟ ବ୍ୟାଗରେ ପ୍ୟାକ୍ କରାଯାଉଥିଲା ଏବଂ ପରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବିକ୍ରି ପାଇଁ ଛୋଟ ପ୍ୟାକେଟରେ ପୁନଃ ପ୍ୟାକିଂ କରାଯାଉଥିଲା। ଏହା ଦ୍ୱାରା ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଜନସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଉଥିଲା।ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କାରଖାନା ପରିଚାଳନା ସହ ଜଡ଼ିତ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।୧୫୦୦ କିଲୋଗ୍ରାମ ଖୋଲା ହଳଦୀ ଗୁଣ୍ଡ, ବହୁ ପରିମାଣର ପ୍ୟାକେଟ୍ ଯୁକ୍ତ ଲଙ୍କା ଓ ହଳଦୀ ଗୁଣ୍ଡ (୩୦/୪୦/୫୦ କିଲୋଗ୍ରାମିଆ ବସ୍ତା), ନିଷିଦ୍ଧ ଖାଦ୍ୟ ରଙ୍ଗର ୨୦ଟି ପ୍ୟାକେଟ୍ (ପ୍ରତ୍ୟେକ ୫୦୦ ଗ୍ରାମ), ୪୦ କିଲୋଗ୍ରାମ ଖୋଲା ରଙ୍ଗ ଥିବା ଗୋଟିଏ ଡ୍ରମ୍, ୮ଟି ମିଲିଂ ମେସିନ୍ ଏବଂ ଗୋଟିଏ ଓଜନ ମାପିବା ଯନ୍ତ୍ର।ମେସର୍ସ ସାଇନି ଇଣ୍ଡଷ୍ଟ୍ରିଜ୍ର ଗୋଦାମରୁ: ଇଗଲ୍ ବ୍ରାଣ୍ଡର ଅଦା-ରସୁଣ ପେଷ୍ଟର ୨୧୬ଟି ପ୍ୟାକେଟ୍ (୧୭୨୮ କିଲୋଗ୍ରାମ), ୨୪୦୦ କିଲୋଗ୍ରାମ ହଳଦୀ, ବସ୍ତାରେ ଥିବା ୧୭୨୦ କିଲୋଗ୍ରାମ ଲଙ୍କା ଗୁଣ୍ଡ ଏବଂ ୬ଟି ହାତ-ଚାଳିତ ପ୍ୟାକିଂ ମେସିନ୍। ମୋଟ ଉପରେ ୫ ଟନ୍ରୁ ଅଧିକ ପରିମାଣର ଅପମିଶ୍ରିତ/ନକଲି ସାମଗ୍ରୀ ଜବତ କରାଯାଇଛି। ରାସାୟନିକ ପରୀକ୍ଷା ପାଇଁ ଏହାର ନମୁନା ଖାଦ୍ୟ ପରୀକ୍ଷଣାଗାରକୁ ପଠାଯାଇଛି। ଏହାର ବ୍ୟାପକ ବିତରଣ ନେଟୱାର୍କ, ଯୋଗାଣ ଶୃଙ୍ଖଳା ଏବଂ ଏଥିରେ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ଜନସ୍ୱାସ୍ଥ୍ୟ ବିରୋଧୀ ଏଭଳି ଅପରାଧରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବ୍ରହ୍ମପୁର ରିପୋର୍ଟର ସୁରେଶ ବେହେରା।

