ପୂର୍ବତନ ସରପଞ୍ଚ ଆର୍. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା (୫୫)ଙ୍କ ଅକାଳ ବିୟୋଗ

Share

ରଙ୍ଗେଇଲୁଣ୍ଡା :-ରଙ୍ଗେଇଲୁଣ୍ଡା ବ୍ଲକ ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଆର୍. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା (୫୫) ଙ୍କ ଜାମ୍ମୁ କାଶ୍ମୀରରେ ଏକ ଦୁର୍ଘଟଣାରେ ୨/୮ ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ ହିମାଂଶୁ ଗତ ୨୮ ତାରିଖରେ ୬ ଜଣ ବନ୍ଧୁଙ୍କ ସହ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଏକ ଟ୍ରାଭେଲ୍ଲର ଇନୋଭାରେ ଶ୍ରୀନଗରରୁ ପହେଲଗାଁ ଯାଇଥିଲେ । ସେଠାରେ ରାତ୍ରିଯାପନ ପରେ ଆଜି ସକାଳ ପ୍ରାୟ ସାଢ଼େ ୧୦ ଟାରେ ସେମାନେ ଶ୍ରୀନଗର ଫେରୁଥିଲେ । ରାସ୍ତାରେ ଯାଉଥିବା ବେଳେ ପାହାଡରୁ ଏକ ବିରାଟ ପଥର ଖସି ଇନୋଭା ଉପରେ ପଡିଥିଲା । ଫଳରେ ଆଗ ସିଟ୍ ରେ ବସିଥିବା ହିମାଂଶୁ ଚାପି ହୋଇ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଅନନ୍ତନାଗ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ୫ ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ହିମାଂଶୁ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ନାରାୟଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ଵ ତୁଲାଇଥିଲେ । ଏଥିସହ ସେ ରଙ୍ଗେଇଲୁଣ୍ଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ମଧ୍ୟ ଥିଲେ । ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚି ହିମାଂଶୁ ଙ୍କ ପତ୍ନୀ ବିଜୟ ଲକ୍ଷ୍ମୀ ଏବଂ ଦୁଇପୁଅ ଆଶୁତୋଷ ଓ ଆକାଶଙ୍କୁ ଭେଟି ସାନ୍ତ୍ବନା ଦେଇଥିଲେ । ମୃତଦେହକୁ ଘରକୁ ଆଣିବା ପାଇଁ ସାସଂଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ମୃତଦେହ ଘରେ ପହଞ୍ଚାଇବା ନେଇ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବେ ବୋଲି ସାସଂଦ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିବା ବେଳେ ଆବଶ୍ୟକ ସ୍ଥଳେ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଥିବା ଜଣାପଡ଼ିଛି।
ରଙ୍ଗେଇଲୁଣ୍ଡା ବ୍ଲକ ପ୍ରତିନିଧି ସୁକାନ୍ତ କୁମାର ଦାଶଙ୍କ ରିପୋର୍ଟ ଓଡିଶା ଦର୍ପଣ

Read more

Local News