ଚିକିଟି, ୧/୯: ଚିକିଟି ବ୍ଲକ ଅନ୍ତର୍ଗତ ସୁମାଣ୍ଡିସ୍ଥିତ ଲବଣ ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଦକ୍ଷତା, ଶୃଙ୍ଖଳା ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଉପରେ ଏହି ଆୟୋଜନ ଗୁରୁତ୍ୱ ଦେଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ନବୀନ ବେହେରା, ସମିତି ସଭ୍ୟ ଚୈତନ୍ୟ ବେହେରା ଯୋଗଦେଇଥିଲେ। ଏହି ଅବସରରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ବ୍ଲକ କ୍ରୀଡ଼ା ସମ୍ପାଦକ ଜୁର ଗୌଡ଼, ସିଆରସିସି ବି. ଭେଙ୍କେଟ ରାଓ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ କାର୍ଜୀ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟିତ୍ରୀ ସସ୍ମିତା କୁମାରୀ ସାହୁ କରିଥିଲେ। ବ୍ଲକର ସମସ୍ତ କ୍ରୀଡ଼ା ଶିକ୍ଷକ ପ୍ରତିଯୋଗିତାର ବିଭିନ୍ନ ବିଭାଗ ପରିଚାଳନା କରିଥିବା ବେଳେ ସମସ୍ତ ସିଆରସିସି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନାରେ ସହଯୋଗ କରିଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୯୭ ଜଣ ଛାତ୍ରଛାତ୍ରୀ ଏହି ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ ସମଗ୍ର ପରିବେଶ କ୍ରୀଡ଼ାମୟ ହୋଇଉଠିଥିଲା।କ୍ରୀଡ଼ା ପ୍ରତିଯୋଗିତା ସହିତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମନ ମୋହିଥିଲା। ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳା, ଉତ୍ସାହ ଓ କ୍ରୀଡ଼ାସ୍ପୃହାର ପରିବେଶରେ ସମ୍ପନ୍ନ ହୋଇଥିଲା।ଚିକଟୀରୁ ନରସିଂହ ବେହରାଙ୍କ ରିପୋର୍ଟ