ବିଦ୍ୟୁତ ବିଭାଗର ଅବହେଳା: ଚାଲିଗଲା ନାବାଳକର ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Share

ପାତ୍ରପୁର, :ବିଦ୍ୟୁତ ବିଭାଗର ଅବହେଳା ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଜଣେ ନିଷ୍ପାପ ନାବାଳକଙ୍କ ଅକାଳ ମୃତ୍ୟୁ ଘଟିଛି। ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ବିପଦସଙ୍କୁଳ ଭାବେ ଝୁଲି ରହିଥିବା ବିଦ୍ୟୁତ ତାରକୁ ହଟାଯାଇନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ଘଟଣାକୁ କେନ୍ଦ୍ର କରି କେଳୁଆ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ନ୍ୟାୟ ଓ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି।
ସୂଚନା ଅନୁଯାୟୀ, କେଳୁଆ ନିକଟସ୍ଥ ନରଣପୁରଠାରେ ମାଉସୀଙ୍କ ଘରେ ରହି ପାଠ ପଢୁଥିବା ଦଶମ ଶ୍ରେଣୀର ଛାତ୍ର ଚନ୍ଦନ ପ୍ରଧାନ ବିପଦସଙ୍କୁଳ ଭାବେ ଝୁଲି ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଘର ନିକଟ ଦେଇ ଯାଇଥିବା ଏହି ବିପଜ୍ଜନକ ବିଦ୍ୟୁତ ତାରକୁ ସ୍ଥାନାନ୍ତର କରିବା ପାଇଁ କେଳୁଆ ଗ୍ରାମବାସୀ ବିଦ୍ୟୁତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫଳରେ ବିଭାଗୀୟ ଅବହେଳା ପାଇଁ ଜଣେ ଆଗାମୀ ଭବିଷ୍ୟତର ସମ୍ଭାବନାମୟ ଛାତ୍ରଙ୍କ ଜୀବନଦୀପ ଅକାଳରେ ଲିଭିଯାଇଛି। ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚରମ କ୍ଷୋଭ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ମୃତକଙ୍କ ପରିବାରକୁ ତୁରନ୍ତ ୫ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯାଉ। ଏଥିସହ ଦାୟିତ୍ୱହୀନ ବିଦ୍ୟୁତ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ ଦଣ୍ଡବିଧାନ କରାଯାଉ। ଅଞ୍ଚଳରେ ଥିବା ସମସ୍ତ ବିପଦସଙ୍କୁଳ ଓ ନିମ୍ନଗାମୀ ବିଦ୍ୟୁତ ତାରକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କିମ୍ବା ସଜାଡ଼ିବାକୁ ମଧ୍ୟ ଦାବି ହୋଇଛି।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରଶାସନ ତୁରନ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ମୃତକଙ୍କ ପରିବାରକୁ ନ୍ୟାୟ ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ଜୋର ଧରିଛ । ଓଡ଼ିଶା ଦର୍ପଣରୁ
ଜଗନ୍ନାଥ ନାୟକଙ୍କ ରିପୋର୍ଟ

Read more

Local News