ଜଟଣୀରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ

Share

ଜଟଣୀ, ୪/୯ (ରାଜେନ୍ଦ୍ର ପ୍ରସାଦ ନାୟକ): ଜଟଣୀ ସ୍ଥିତ ଗୋପୀନାଥଜୀ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଶୁକ୍ରବାର ସକାଳୁ ହିଁ ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଆକର୍ଷଣୀୟ ବେଶଭୂଷାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ମନ୍ଦିର କମିଟି ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ମିଷ୍ଟାନ୍ନ ଓ ଜଳପାନର ବ୍ୟବସ୍ଥା କରାଯାଇଥିଲା।
ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରସିଦ୍ଧ ଭଜନ ଗାୟକ ବିଶ୍ୱନାଥ ପଟ୍ଟନାୟକ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ପରେ ରାତି ୯ଟାରୁ ୧୨ଟା ପର୍ଯ୍ୟନ୍ତ କୋଲକାତାରୁ ଆଗତ ପ୍ରସିଦ୍ଧ ଭଜନ ଗାୟକ ପ୍ରକାଶ ମିଶ୍ର ଓ ତାଙ୍କ ମଣ୍ଡଳୀ ଭାବବିହ୍ୱଳ ଭଜନ ପରିବେଷଣ କରିଥିଲେ। ଗୋପୀନାଥ ମନ୍ଦିର କମିଟି ସଭାପତି ମହେଶ ଅଗ୍ରୱାଲ ଓ ସମ୍ପାଦକ ପ୍ରଦୀପ ଅଗ୍ରୱାଲଙ୍କ ନେତୃତ୍ୱରେ କମିଟିର ଯୁବ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଠିକ୍ ରାତି ୧୨ଟାରେ ଶଙ୍ଖ, ମୃଦଙ୍ଗ, ଘଣ୍ଟି ଧ୍ୱନି ଓ ହରିବୋଲ ହୁଳହୁଳି ସହ ଶ୍ରୀକୃଷ୍ଣ ଜନ୍ମନୀତି ପାଳନ କରାଯାଇଥିଲା। ଜନ୍ମ ପରେ ମନ୍ଦିର ପୂଜାରୀଙ୍କ ଦ୍ୱାରା ମହାଆରତୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ। ପରେ ଭକ୍ତମାନେ ପଞ୍ଜିରୀ ପ୍ରସାଦ ଓ ପଞ୍ଚାମୃତ ଗ୍ରହଣ କରି ଉପବାସ ଭାଙ୍ଗିଥିଲେ। ଏହି ଅବସରରେ ମନ୍ଦିରକୁ ରଙ୍ଗବେରଙ୍ଗ ଫୁଲ, ବେଲୁନ ଓ ବିଭିନ୍ନ କଳାକୃତିରେ ସୁସଜ୍ଜିତ କରାଯାଇଥିଲା।
ସେହିପରି ଆନ୍ଧ୍ରା ବ୍ୟାଙ୍କ ନିକଟ ଗଳିରେ ଥିବା ସିଦ୍ଧ ମହାବୀର ମନ୍ଦିର ପୀଠରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଥିଲା। ସେଠାରେ କଟକ ଓ ଭୁବନେଶ୍ୱରରୁ ଆସିଥିବା ଭଜନ ମଣ୍ଡଳୀ ଭଜନ ପରିବେଷଣ କରି ଭକ୍ତଙ୍କୁ ବିମୋହିତ କରିଥିଲେ। ମନ୍ଦିର ସଂଯୋଜକ ଜଗଦୀଶ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହା ବ୍ୟତୀତ ଜଟଣୀର ବିଭିନ୍ନ ବୈଷ୍ଣବ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହୋଇଥିବା ଜଣାପଡ଼ିଛି।

Read more

Local News