ଅବହେଳିତ ଜୟନ୍ତିପୁର ସ୍କୁଲ ସାହି: ମୌଳିକ ସୁବିଧା ନାହିଁ ,ବର୍ଷ ବର୍ଷ ଧରି ହନ୍ତସନ୍ତ

Share

ପାତ୍ରପୁର:- ସରକାରଙ୍କ ପକ୍ଷରୁ ଗାଁ ଗାଁରେ ବିକାଶର ଚିତ୍ର ଦେଖାଯାଉଛି। କିନ୍ତୁ ବିକାଶର ଏହି ଚିତ୍ରଠାରୁ ଯେପରି ଦୂରରେ ରହିଯାଇଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଜୟନ୍ତିପୁର ପଞ୍ଚାୟତର ସ୍କୁଲ ସାହି। ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଏହି ସାହିବାସୀଙ୍କ ଦୁର୍ଦ୍ଦଶା ଏବେ ପ୍ରଶାସନିକ ଅବହେଳାର ଚିତ୍ର ସାମ୍ନାକୁ ଆଣିଛି।ସାହିର ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଦୀର୍ଘଦିନ ଧରି ମରାମତି ହୋଇନଥିବାରୁ ରାସ୍ତାରେ ସୃଷ୍ଟି ହୋଇଛି ଅନେକ ଖାଲଖମା। ବର୍ଷା ହେଲେ ରାସ୍ତାରେ ପାଣି ଓ କାଦୁଅ ଜମି ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀଙ୍କ ସମେତ ସାହିବାସୀ ଯାତାୟାତ କରୁଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସାମାନ୍ୟ ବର୍ଷା ହେଲେ ରାସ୍ତାରେ କାଦୁଅ ଓ ପାଣି ଜମି ରହୁଛି। ଫଳରେ ଛୋଟ ପିଲା, ବୃଦ୍ଧବୃଦ୍ଧା ଓ ଅନ୍ୟ ସାହିବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଖାଲଖମା ଭରା ରାସ୍ତାରେ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି।ସବୁଠାରୁ ବଡ଼ ସମସ୍ୟା ହେଉଛି ଡ୍ରେନେଜ୍ ବ୍ୟବସ୍ଥା। ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଅପରିଷ୍କାର ପାଣି ରାସ୍ତା ଉପରେ ଜମି ରହୁଛି। ଏହା ଫଳରେ ପରିବେଶ ଦୂଷିତ ହେବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଗବ୍ୟାଧିକୁ ନେଇ ଚିନ୍ତା ବଢ଼ିଛି।ସାହିବାସୀଙ୍କ କହିବା ଅନୁଯାୟୀ, ରାସ୍ତା ଓ ଡ୍ରେନେଜ୍ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଯାଇଛି। ତଥାପି ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।ସାହିବାସୀଙ୍କ ପ୍ରଶ୍ନ—ନିର୍ବାଚନ ସମୟରେ ଭୋଟ ପାଇଁ ପ୍ରତିଶ୍ରୁତି ଦିଆଯାଏ, ହେଲେ ନିର୍ବାଚନ ପରେ ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି କାହିଁକି ପଡ଼ୁନାହିଁ? ବିକାଶ ପାଇଁ ସରକାରୀ ଯୋଜନା ଓ ବଜେଟ୍ ଥିବା ସତ୍ତ୍ୱେ ଏକ ଗାଁର ରାସ୍ତା ଓ ଡ୍ରେନେଜ୍ ଭଳି ମୌଳିକ ସମସ୍ୟା କାହିଁକି ବର୍ଷ ବର୍ଷ ଧରି ସମାଧାନ ହୋଇପାରୁନାହିଁ—ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳର ବିକାଶ ଓ ମୌଳିକ ସୁବିଧା ପ୍ରଦାନର କଥା କହୁଛନ୍ତି। ଅନ୍ୟପଟେ ଜୟନ୍ତିପୁର ସ୍କୁଲ ସାହିର ଏହି ଚିତ୍ର ତୃଣମୂଳ ସ୍ତରର ବାସ୍ତବତାକୁ ନେଇ ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକେ ଚାହୁଁଛନ୍ତି—ରାଜନୈତିକ ପ୍ରତିଶ୍ରୁତି ନୁହେଁ, ଏବେ ଆବଶ୍ୟକ ଠୋସ୍ ପଦକ୍ଷେପ।ରାସ୍ତାର ମରାମତି, ନିଷ୍କାସନ ବ୍ୟବସ୍ଥା ଓ ସାହିର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ସାହିବାସୀ। ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥଳ ପରିଦର୍ଶନ କରିବା ସହ ଆବଶ୍ୟକ ପଦକ୍ଷେପ ନେଉ—ଏହି ଦାବି ଉଠିଛି।ନଚେତ ଆଗାମୀ ଦିନରେ ଜୟନ୍ତିପୁର ସ୍କୁଲ ସାହିବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ ହେଉଛି—ବିକାଶର ଡିଣ୍ଡିମ ମଧ୍ୟରେ ଜୟନ୍ତିପୁରର ଏହି ଅବହେଳିତ ସାହିର ଦୁର୍ଦ୍ଦଶା କେବେ ଦୂର ହେବ? ସାହିବାସୀଙ୍କ ମୌଳିକ ଅଧିକାର ପାଇଁ କେବେ ଜାଗିବ ପ୍ରଶାସନ? ଜନତା ଉତ୍ତର ନୁହେଁ, ଏବେ ସମାଧାନ ଚାହୁଁଛନ୍ତି।ଓଡ଼ିଶା ଦର୍ପଣରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ

Read more

Local News